ମହାରାଷ୍ଟ୍ର ମହାଯୁତି ଲାଗି ଆସନ ବଣ୍ଟାକୁଣ୍ଟା ଶେଷ, ଜାଣନ୍ତୁ ବିଜେପି, ସିନ୍ଦେ ଓ ଅଜିତ ପାୱାରଙ୍କ ପାର୍ଟିକୁ ମିଳିଲା କେତେ ସିଟ୍?

Published By : Prameya-News7 Bureau | October 22, 2024 IST

ମୁମ୍ବାଇ ୨୨।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ୨୨ ଅକ୍ଟୋବର ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ସହିତ ମହାଯୁତି ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ମଧ୍ୟରେ ଆସନ ବୁଝାମଣା ପ୍ରାୟତଃ ଚୂଡ଼ାନ୍ତ ହୋଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ମହାଯୁତି ସିଟ୍ ସେୟାରିଂରେ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ମଧ୍ୟରୁ ୧୫୬ଟିରେ ବିଜେପି ଲଢିବ। ବଳକା ସିଟ୍ ମଧ୍ୟରୁ ଅଜିତ ପାୱାର ଗୋଷ୍ଠୀ ଏନସିପି ୫୩-୫୪ଟି ଆସନରେ ଲଢିବାକୁ ଥିବା ବେଳେ ସିନ୍ଦେଙ୍କ ଶିବସେନା ୭୮ରୁ ୮୦ଟି ପ୍ରାର୍ଥୀ ଦେବ। 

ମହାଯୁତି ମେଣ୍ଟ ମଧ୍ୟରେ ଆସନ ସହମତି ହେବା ପୂର୍ବରୁ ବିଜେପି ୯୯ଟି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ଏଥିରେ ୭୦ ବିଧାୟକଙ୍କୁ ପୁଣି ଥରେ ସୁଯୋଗ ମିଳିଥିବା ବେଳେ ୧୩ ମହିଳାଙ୍କୁ ମଧ୍ୟ  ପ୍ରାର୍ଥୀ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ଝିଅ ଶ୍ରୀଜୟା ଚୌହାନ ମଧ୍ୟ ଅଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ରେ ମଙ୍ଗଳବାର ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। 

ତେବେ ଏହା ପୂର୍ବରୁ ପ୍ରାର୍ଥୀମାନଙ୍କର ତାଲିକା ଜାରି ଓ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଚାଲୁ ରହିବ। ଅକ୍ଟୋବର ୩୦ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ ଓ ନଭେମ୍ବର ୪ ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ହୋଇ ପାରିବ। ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ନଭେମ୍ବର ୨୩ରେ ଭୋଟଗଣନା ହେବ। ତେବେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ୬ ଜୋନରେ ଜାଣନ୍ତୁ କିଏ କାହା ଉପରେ ଭାରି। 

ବିଦର୍ଭ ଜାନରେ ମୋଟ ୬୨ଟି ଆସନ ରହୁଛି। ଏହି ଜୋନର ୫୫ ପ୍ରତିଶତ ଆସନରେ ମହାଯୁତି ୨୦୦୯,୨୦୧୪ ଓ ୨୦୧୯ ନିର୍ବାଚନରେ ହାରି ନାହିଁ। ସେହିପରି ପଶ୍ଚିମ ମହାରାଷ୍ଟ୍ରରେ ମୋଟ ୭୦ଟି ସିଟ୍ ରହିଛି। ଏହାର ୭୬ ପ୍ରତିଶତ ଆସନରେ ମହାବିକାଶ ଅଘାଡି (ଏମଭିଏ)ର ଦବଦବା ରହିଛି। ଉତ୍ତର ମହାରାଷ୍ଟ୍ରରେ ମୋଟ ୩୫ଟି ସିଟ୍ ରହିଛି ଏହାର ୬୦ ପ୍ରତିଶତ ଆସନରେ ମହାଯୁତି ବିଜୟ ହାସଲ କରିଥିବା ରେକର୍ଡ ରହିଛି। ମରାଠାୱାଡର ମୋଟ ୪୬ଟି  ଆସନରୁ ୫୧ ପ୍ରତିଶତରେ ମହାଯୁତିର ଦବଦବା ରହିଛି। 

ଠାଣେ-କୋଙ୍କଣରେ ୩୯ଟି ସିଟ୍ ରହିଛି। ଏହା ମହାବିକାଶ ଅଘାଡି ଓ ମହାୟୁତି ମଧ୍ୟରେ ୫୦-୫୦ର ଟକ୍କର ରହିଛି। ମୁମ୍ବାଇ ଜୋନରେ ମୋଟ ୩୬ଟି ସିଟ୍ ରହିଛି। ଏଠାରେ ମହାବିକାଶ ଅଘାଡିକୁ ୪୩ ପ୍ରତିଶତ ଆସନ ମିଳିବାର ସମ୍ଭାବନା ରହିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.