JPC ବୈଠକରେ ବୋତଲ ଭାଙ୍ଗିଥିବା ସାଂସଦଙ୍କ ଉପରେ ଆକ୍ସନ, ଦିନକ ପାଇଁ ସସ୍‌ପେଣ୍ଡ

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ: ୱାକଫ୍ ବିଲ୍ ଉପରେ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ବୈଠକରେ ଟିଏମସି ନେତା ତଥା ପଶ୍ଚିମବଙ୍ଗର ଶ୍ରୀରାମପୁରରୁ ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବିଜେପି ନେତା ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହଙ୍ଗମା ହୋଇଥିଲା । ଏହି ସମୟରେ କଲ୍ୟାଣ ବାନାର୍ଜୀ ରାଗରେ କାଚ ପାଣି ବୋତଲ ଭାଙ୍ଗି ଦେଇଥିଲେ, ଯେଉଁଥି ପାଇଁ ତାଙ୍କ ହାତରେ ଆଘାତ ଲାଗିଥିଲା । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ତାଙ୍କର ଏହି ଆଚରଣ ପାଇଁ ୱାକଫ୍ ବିଲ୍ ପାଇଁ ଜେପିସିରୁ ଦିନକ ପାଇଁ ସସ୍‌ପେଣ୍ଡ କରାଯାଇଛି । 

ୱାକଫ୍ ବିଲ୍ ଉପରେ ଜେପିସିର ସଦସ୍ୟ କଲ୍ୟାଣ ବାନାର୍ଜୀଙ୍କୁ ଜଗଦମ୍ୱିକା ପାଲ୍‌ଙ୍କ ବିରୋଧରେ ଅସଂସଦୀୟ ଭାଷ ପ୍ରୟୋଗ କରିବା ଏବଂ କାଚ ବୋତଲ ଭାଙ୍ଗି ତାଙ୍କ ଉପରେ ଫିଙ୍ଗିବା କାରଣରୁ ଲୋକସଭାର ନିୟମ ୨୬୧ ଏବଂ ୩୭୪ (୧) (୨) ଅଧିନରେ ଗୋଟିଏ ଦିନ ଏବଂ ଦୁଇ ବୈଠକ ପାଇଁ ନିଲମ୍ୱନ କରାଯାଇଛି । ବାନାର୍ଜୀଙ୍କ ନିଲମ୍ୱନ ଦାବି ପ୍ରସ୍ତାବ ସପକ୍ଷରେ ୯ ଏବଂ ବିରୋଧରେ ୮ ଭୋଟ ପଡ଼ିଥିଲା ।

ୱାକଫ୍ ବିଲ୍ ଉପରେ ଚର୍ଚ୍ଚା ବେଳେ କିଛି ବିରୋଧୀ ସଦସ୍ୟ ସେବାନିବୃତ୍ତ ନ୍ୟାୟଧୀଶ ଏବଂ ଓକିଲଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ଚର୍ଚ୍ଚା ବେଳେ କଲ୍ୟାଣ ବାନାର୍ଜୀ ଏବଂ ବିଜେପି ନେତା ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ବଡ଼ ଧରଣ ପାଟିତୁଣ୍ଡ ହୋଇଥିଲା । ଯାହା ପରେ ସ୍ଥିତି ଅଧିକ ବିଗିଡ଼ି ଯାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କଲ୍ୟାଣ ବାନାର୍ଜୀ ରାଗରେ କାଚ ବୋତଲକୁ ଟେବୁଲ୍ ଉପରେ ଜୋରରେ ଫିଙ୍ଗି ଦେଇଥିଲେ । ଯେଉଁଥି ସେ ନିଜେ ଆହତ ହୋଇଥିଲେ । ତାଙ୍କ ହାତର ଦୁଇ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏହାପରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.