କଲ୍ୟାଣ ବାନାର୍ଜୀ JPC ଚେୟାରମ୍ୟାନଙ୍କ ଉପରକୁ ଫିଙ୍ଗିଲେ ବୋତଲ, ଜାଣନ୍ତୁ ବୈଠକରେ ଆଉ କ’ଣ ସବୁ ହେଲା?

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ ୨୨।୧୦: ୱାକଅଫ ବିଲ ଉପରେ ୨୨ ଅକ୍ଟୋବର ୨୦୨୪ ମଙ୍ଗଳବାର ଜଏଣ୍ଟ ପାର୍ଲ୍ୟାମେଣ୍ଟ୍ରି କମିଟି (ଜେପିସି) ବୈଠକରେ ହୋଇଥିବା ହଙ୍ଗାମା ଯୋଗୁ ମିଟିଂକୁ ମଝିରେ ରୋକି ଦିଆଯାଇଛି। ଏହି ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ଆହତ  ହୋଇଥିଲେ। ବାନାର୍ଜୀ ରାଗରେ କାଚ ବୋତଲକୁ ଟେବୁଲ ଉପରେ ପିଟି ଦେଇଥିଲେ। ଫଳରେ ତାଙ୍କ ହାତରେ କାଚ ପଶି ଯାଇଥିଲା ଓ ସେ ଆହତ ହୋଇଥିଲେ। 

ବୈଠକ କାଳରେ ବିଜେପି ସାଂସଦ ଅଭିଜିତ ଗଙ୍ଗୋପଧ୍ୟାଙ୍କ ସହ କଲ୍ୟାଣ ବାନାର୍ଜୀଙ୍କ ତର୍କ ହୋଇଥିଲା। ଏଥିରେ ବାନାର୍ଜି ଏତେମାତ୍ରାରେ ରାଗି ଗଲେ ଯେ ଟେବୁଲ ଉପରେ ରଖାଯାଇଥିବା କାଚ ବୋତକୁ ଉଠାଇ ମେଜକୁ ପିଟି ଦେଇଥିଲେ। ଫଳରେ ସେ ନିଜେ ଆହତ ହୋଇଥିଲେ ଓ ତାଙ୍କ ବୃଦ୍ଧାଙ୍ଗୁଳିରେ ୬ଟି ଷ୍ଟିଚ୍ ପଡିଲା। ସେମାନଙ୍କ ମଧ୍ୟରେ ତର୍କ ଏଥି ପାଇଁ ହୋଇଥିଲା ଯେ ବାନାର୍ଜୀଙ୍କ ପାଳି ପଡିବା ପୂର୍ବରୁ ସେ କହିବାକୁ ଛିଡା ହୋଇପଡିଥିଲେ। ଏଥି ପାଇଁ ତାଙ୍କୁ ୩ ଥର ଅଟକା ଯାଇଥିଲା। ଏହା ସତ୍ତ୍ୱେ ସେ  ନ ଅଟକିବାରୁ ସାଂସଦ ଅଭିଜିତ ଏହାକୁ ନେଇ ଆପତ୍ତି କରିଥିଲେ। 

ଏଇ କଥାକୁ ନେଇ କଲ୍ୟାଣ ବାନାର୍ଜୀ ରାଗି ଯାଇଥିଲେ ଓ ଅଭିଜିତ ଗଙ୍ଗୋପଧ୍ୟାୟଙ୍କ ସହ ତର୍କ କରିଥିଲେ। ଏହି ତର୍କ ଏତେମାତ୍ରାରେ ବଢି ଯାଇଥିଲା ଯେ ବାନାର୍ଜୀ କାଚ ବୋତଲ ଉଠାଇ ଟେବୁଲରେ ବାଡେଇ ଦେଇଥିଲେ। ସୂତ୍ର ଅନୁସାରେ କୁହାଯାଉଛି ଯେ ଦୁଇ ସାଂସଦ ପରସ୍ପର ମଧ୍ୟରେ ଜଣେ ଜଣକ ପାଇଁ ଅଭଦ୍ର ଭାଷା ବ୍ୟବହାର କରିଥିଲେ। ସୂତ୍ରରୁ ଏହା ମଧ୍ୟ ଜଣାପଡିଛି ଯେ କଲ୍ୟାଣ ବାନାର୍ଜୀ ପ୍ରଥମେ କାଚ ବୋତଲ ଟେବୁଲରେ ବାଡେଇ ଥିଲେ ଓ ପରେ ବୋତଲର ଭଙ୍ଗା କାଚକୁ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ଉପରକୁ ଫିଙ୍ଗିଥିଲେ। 

ଏ ସବୁକୁ ଦେଖି ମିଟିଂକୁ ତୁରନ୍ତ ରୋକି ଦିଆଯାଇଥିଲା ଓ କଲ୍ୟାଣ ବାନାର୍ଜୀଙ୍କୁ ପ୍ରାଥମିକ ଉପଚାର ପାଇଁ ନିଆଯାଇଥିଲା ଟ୍ରିଟମେଣ୍ଟ ପରେ କଲ୍ୟାଣ ବାନାର୍ଜୀଙ୍କୁ ଏଆଇଏମଆଇଏମ ମୁଖିଆ ଅସଦୁଦ୍ଦିନ ଓବେସୀ, ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହ ପୁଣି ବୈଠକ କକ୍ଷକୁ ନେଇଥିଲେ। ତେବେ ସେତେବେଳକୁ କଲ୍ୟାଣ ବାନାର୍ଜୀଙ୍କୁ କମିଟି ସସପେଣ୍ଡ କରି ସାରିଥିଲେ। ଗତ ସପ୍ତାହରେ ଅନୁଷ୍ଠିତ ୱାକଫ ବୈଠକରେ ମଧ୍ୟ ଜୋରଦାର ତର୍କ ହୋଇଥିଲା। ସେଥର ମଧ୍ୟ କଲ୍ୟାଣ ବାନାର୍ଜୀ ଅନ୍ୟ ସଦସ୍ୟଙ୍କ ସହ ଲଢି ଯାଇଥିଲେ। 

ସେଥର କଲ୍ୟାଣ ବାନାର୍ଜୀ ବିଜେପି ସାଂସଦ ଦିଲ୍ଲୀପ ସାଇକିୟା ଓ ନିଶିକାନ୍ତ ଦୁବେଙ୍କ ସହ ତର୍କ କରିଥିଲେ। ବୈଠକକୁ ନେଇ ବିରୋଧୀ ଦଳର ସାଂସଦମାନେ ବିଜେପି ସାଂସଦଙ୍କ ଉପରେ ଅଭଦ୍ର ଭାଷା ପ୍ରୟୋଗ କରିବା ଓ ପାତରଅନ୍ତର କରାଯିବାର ଅଭିଯୋଗ ଆଣିଥିଲେ। ଏ ନେଇ ସେମାନେ ଲୋକସଭା ବାଚସ୍ପତି ଓମ ବିରଳାଙ୍କୁ ଚିଠି ଲେଖି ଅଭିଯୋଗ ମଧ୍ୟ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.