ରୁଷରେ ପିଏମ୍ ମୋଦୀ ଏବଂ ସି ଜିନ୍‌ପିଙ୍ଗ କରିବେ ଦ୍ୱିପାକ୍ଷିକ ବୈଠକ, ସ୍ପଷ୍ଟ କଲା MEA

Published By : Prameya-News7 Bureau | October 22, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବୁଧବାର ବ୍ରିକ୍ସ ଶିଖର ସମ୍ମିଳନୀ ବାହାରେ ଦ୍ୱିପାକ୍ଷିକ ବୈଠକ କରିବେ । ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିସ୍ରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ସୀମା ବିବାଦ ପରେ ଏହା ପ୍ରଥମ ବୈଠକ ହେବ । ସାମ୍ୱାଦିକ ସମ୍ମିଳନୀରେ ମିସ୍ରୀ କହିଛନ୍ତି, 'ବ୍ରିକ୍ସ ସମ୍ମିଳନୀ ବାହାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହେବ ବୋଲି ମୁଁ ସ୍ପଷ୍ଟ କରିପାରିବ । ତେବେ ଦ୍ୱିପାକ୍ଷିକ ବୈଠକର ସମୟ ବୁଧବାର ହିଁ ସ୍ଥିର ହେବ ।'


ଭାରତ ଏବଂ ଚୀନ ମଧ୍ୟରେ ପୂର୍ବ ଲଦାଖରେ ଏଲ୍‌ଏସିରେ ସଂଘର୍ଷ ଆରମ୍ଭ ହେବା ପରଠୁ ଏହା ଦୁଇ ନେତାଙ୍କ ପ୍ରଥମ ବୈଠକ ହେବ । ତେବେ ଗୋଟିଏ ଦିନ ପୂର୍ବରୁ ଏଲ୍‌ଏସିରେ ପାଟ୍ରୋଲିଂକୁ ନେଇ ଦୁଇ ମଧ୍ୟରେ ସହମତି ପ୍ରକାଶ ପାଇଥିଲା । ଦୁଇ ଦେଶ ମଧ୍ୟରେ ଚାରି ବର୍ଷ ଧରି ଚାଲିଥିବା ସୈନ୍ୟ ଗତିରୋଧକୁ ଶେଷ କରିବା ଦିଗରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି ।  

ବୈଦେଶିକ ବ୍ୟାପାର ସଚିବ ମଙ୍ଗଳବାର କହିଥିଲେ ଯେ ଭାରତ ଏବଂ ଚୀନ ଡେମଚୋକ୍ ଏବଂ ଡେପସାଙ୍ଗରେ ନିଜ ସେନାକୁ ଅପସାରଣ ଏବଂ ଅଞ୍ଚଳରେ ପୂର୍ବପରି ପାଟ୍ରୋଲିଂ ଆରମ୍ଭ କରିବା ଉପରେ ସହମତି ହୋଇଛି । ଏହାପରେ ଚୀନ ମଙ୍ଗଳବାର କହିଥିଲା ଯେ ଭାରତ ସହ ସୈନ୍ୟ ବୁଝାମଣା ହୋଇଛି । ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ,'ମାମଲା ଏକ ପ୍ରସ୍ତାବରେ ପହଞ୍ଚିଛି ଏବଂ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ନୂଆଦିଲ୍ଲୀ ସହ ମିଶି କାମ କରିବୁ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.