ନୂଆଦିଲ୍ଲୀ ୩୦/୦୬: ଇସ୍ରାଏଲ-ଇରାନ ଯୁଦ୍ଧ ବିରତି ପରେ ସାମ୍ନାକୁ ଆସିଛି ବଡ ଖବର । ୟୁରୋପୀୟ ଦେଶରେ ପ୍ରତିବାଦର ସ୍ୱର ତେଜିଛି । ସର୍ବିଆର ଛାତ୍ର ବିପ୍ଳବ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୮ ମାସ ପୂର୍ବେ ସର୍ବିଆର ଏକ ରେଳ ଷ୍ଟେସନରେ ଦୁର୍ଘଟଣାରୁ ଉଠିଥିବା କୁହୁଳା ଅଙ୍ଗାର ଏବେ ବିଦ୍ରୋହର ନିଆଁରେ ପରିଣତ ହୋଇଛି। ସର୍ବିଆର ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରିବା ପାଇଁ ହଜାର ହଜାର ଛାତ୍ର ରାସ୍ତାକୁ ଓହ୍ଲାଇଛନ୍ତି । ସର୍ବିଆର ରାସ୍ତା ଗୃହଯୁଦ୍ଧର ରଣକ୍ଷେତ୍ର ପାଲଟିଛି । ଭାରତରୁ ୫,୨୫୦ କିଲୋମିଟର ଦୂର ୟୁରୋପର ଏକ ଶାନ୍ତିପ୍ରିୟ ଦେଶ ଏବେ ରକ୍ତରେ ଲାଲ।
ସର୍ବିଆର ରାଜଧାନୀ ବେଲଗ୍ରେଡରେ ହଜାର ହଜାର ଛାତ୍ର ରାସ୍ତାକୁ ଓହ୍ଲାଇଛନ୍ତି । ଠିକ୍ ସେହିପରି ଘଟଣା ସର୍ବିଆରେ ଘଟୁଛି ଯେପରି ୧ ବର୍ଷ ପୂର୍ବେ ବାଂଲାଦେଶରେ ଘଟିଥିଲା । ପୋଲିସ ଏବଂ ପ୍ରତିବାଦ କରୁଥିବା ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହେଉଛି । ସର୍ବିଆରେ ବିଦ୍ରୋହର ସ୍ଲୋଗାନ ଗୁଞ୍ଜରିତ ହେଉଛି । ଗୋଟିଏ ପଟେ ସର୍ବିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଭୁସିକଙ୍କ ପ୍ରତି କ୍ରୋଧିତ ଛାତ୍ରଙ୍କ ଭିଡ଼, ଅନ୍ୟପଟେ ପୋଲିସ ଲାଠି, ହାତକଡ଼ି ଏବଂ ଲୁହ ବୁହା ଗ୍ୟାସ। ସର୍ବିଆର ରାସ୍ତା ଗୃହଯୁଦ୍ଧର ରଣଭୂମି ପାଲଟିଛି।
ପୁଟିନଙ୍କ ଘନିଷ୍ଠ ବନ୍ଧୁ ସର୍ବିଆ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁସିକଙ୍କ ୧୨ ବର୍ଷର ସାମ୍ରାଜ୍ୟ କ’ଣ ଭାଙ୍ଗିବାକୁ ଯାଉଛି? ଆଲେକଜାଣ୍ଡର ଭୁସିକଙ୍କ ଅବସ୍ଥା ଶେଖ ହାସିନାଙ୍କ ପରି ହେବ କି? ପ୍ରତିବାଦକାରୀମାନେ ଏହାକୁ ସ୍ୱାଧୀନତା ପାଇଁ ଲଢ଼େଇ ବୋଲି କହୁଛନ୍ତି । ବିରୋଧୀ ସ୍ଲୋଗାନ ବି ଦେଉଛନ୍ତି । ସର୍ବିଆରେ ଛାତ୍ର ଆନ୍ଦୋଳନ ୮ ମାସ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହି ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ସର୍ବିୟାରେ ଗୃହଯୁଦ୍ଧର ଏହି ସ୍ପାର୍କ ୮ ମାସ ପୂର୍ବେ ଏକ ଦୁର୍ଘଟଣା ପରେ ଜଳି ଉଠିଥିଲା । ୧ ନଭେମ୍ବର ୨୦୨୪ରେ, ନୋଭି ସାଦ ସହରରେ ଏକ ରେଳ ଷ୍ଟେସନର ଛାତ ଭୁଶୁଡ଼ି ପଡ଼ିବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସର୍ବିଆ ସରକାରଙ୍କ ଅବହେଳା ଓୌ ଦୁର୍ନୀତି ବିରୁଦ୍ଧରେ ନିଆଁକୁ ପ୍ରଜ୍ବଳିତ କରିଥିଲା । ପ୍ରତିବାଦଗୁଡ଼ିକ ଦେଶର ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ହେଉଛି ।
ଏବେ ଛାତ୍ରମାନଙ୍କ ଦ୍ୱାରା ପରିଚାଳିତ ଏହି କ୍ରୋଧ ଏବେ ରାଷ୍ଟ୍ରପତି ଭୁସିକଙ୍କ ଏକଛତ୍ରବାଦୀ ଶାସନ ବିରୋଧରେ ଏକ ଜାତୀୟ ବିଦ୍ରୋହରେ ପରିଣତ ହୋଇଛି। ବର୍ତ୍ତମାନ ଏହି ଆନ୍ଦୋଳନ ଏତେ ବଡ଼ ହୋଇଗଲାଣି ଯେ ଚାପରେ ସର୍ବିଆର ପ୍ରଧାନମନ୍ତ୍ରୀ ମିଲୋସ୍ ଭୁସିକ୍ ଇସ୍ତଫା ଦେଇଛନ୍ତି, କିନ୍ତୁ ରାଷ୍ଟ୍ରପତି ଭୁସିକ୍ ଏବେ ବି କ୍ଷମତାରେ ଅଛନ୍ତି।