ମହାରାଷ୍ଟ୍ରରେ ଶିବସେନା ବଢାଇଲା BJPର ଚିନ୍ତା, ବିଧାନସଭା ନିର୍ବାଚନ ପୂର୍ବରୁ ଦାବି କଲା ୧୦୦ ସିଟ୍

Published By : Prameya-News7 Bureau | June 20, 2024 IST

ମୁମ୍ବାଇ ୨୦।୬: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ଜନୈକ ବରିଷ୍ଠ ନେତା କହିଛନ୍ତି ଯେ ତାଙ୍କ ପାର୍ଟିକୁ ରାଜ୍ୟ ବିଧାନସଭାର ୨୮୮ ଆସନ ମଧ୍ୟରୁ ଅନୁନ୍ୟ ୧୦୦ଟି ଆସନରେ ନିର୍ବାଚନ ଲଢିବାର ସୁଯୋଗ ମିଳିବା ଦରକାର। ଶିବସେନା ମହାଯୁତିର ଅଂଶବିଶେଷ। ଯେଉଁଥିରା ବିଜେପି ଓ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ମଧ୍ୟ ରହିଛି। ରାଜ୍ୟରେ ଅକ୍ଟୋବର ମାସରେ ବିଧାନସଭା ନିର୍ବାଚନ ହେବ। 

ପୂର୍ବତନ ମନ୍ତ୍ରୀ ରାମଦାସ କଦମ ଏନଏସସିଆଇ ପରିସରରେ ଅନୁଷ୍ଠିତ ଅବିଭକ୍ତ ଶିବସେନାର ୫୮ ତମ ସ୍ଥାପନା ଦିବସ ଉତ୍ସବ ଅବସରରେ କହିଛନ୍ତି ଯେ ଆମକୁ ଲଢିବା ପାଇଁ ୧୦୦ଟି ଆସନ ମିଳିବା ଦରକାର ଓ ଏଥିରୁ ଆମେ ୯୦ଟିରେ ବିଜୟ ସୁନିଶ୍ଚିତ କରିବୁ। ସେହିପରି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନସିପି ନେତା ଛଗନ ଭୁଜବଲ ନିକଟରେ କହିଥିଲେ ଯେ ତାଙ୍କ ପାର୍ଟିକୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ୮୦ରୁ ୯୦ଟି ଆସନ ଦରକାର। 


ତେବେ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଥିଲେ ଯେ ତାଙ୍କ ଦଳ ସବୁଠୁ ବଡ଼ ପାର୍ଟି ଓ ରାଜ୍ୟରେ ହେବାକୁ ଥିବା ନିର୍ବାଚନରେ ସବୁଠୁ ଅଧିକ ସିଟ୍‌ରେ ନିର୍ବାଚନ ଲଢିବ। ତେବେ ଫଡନବୀଶ କହିଥିଲେ ଯେ ୩ ଦଳର ନେତାଙ୍କ ବୈଠକ ଓ ଆଲୋଚନା ମାଧ୍ୟମରେ ଆସନ ବଣ୍ଟାକୁଣ୍ଟା ହେବ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ମହାଯୁତିକୁ ଝଟକା ଲାଗିଥିଲା। 


କ୍ଷମତାସୀନ ମହାମେଣ୍ଟ ରାଜ୍ୟର ୪୮ଟି ଲୋକସଭା ଆସନରୁ ୧୭ଟି ହାତେଇ ପାରିଥିଲା। ଏଥିରୁ ବିଜେପି ୯ଟି ଆସନରେ ଜିତିଥିବା ବେଳେ ଶିବସେନା ୭ ଓ ଏନସିପି ଗୋଟିଏ ଆସନ ଜିତି ପାରିଛି। ଅନ୍ୟପଟେ ବିରୋଧୀ ମହାବିକାଶ ଅଘାଡ଼ି ଯେଉଁଥିରେ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ଓ ଶରଦ ପାୱାରଙ୍କ ଏନସିପି(ଏସପି) ମିଳିତ ୩୦ଟି ଆସନ ହାତେଇଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.