ଲାଲକୃଷ୍ଣ ଆଡ଼ଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

Published By : Prameya-News7 Bureau | June 27, 2024 IST

abp live

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିଛି। ଅସୁସ୍ଥ ଅବସ୍ଥାରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି। 

ସୂଚନା ଅନୁଯାୟୀ, ୯୬ ବର୍ଷୀୟ ଏଲକେ ଆଡଭାନୀଙ୍କୁ ଏମ୍ସର ଜିରିୟାଟ୍ରିକ ବିଭାଗରେ ଭର୍ତ୍ତି କରାଯାଇଛି। ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ଆଡ଼ଭାନୀଙ୍କ ସ୍ଵାସ୍ଥ୍ୟ ସଂପର୍କରେ ଏମ୍ସ କର୍ତ୍ତୃପକ୍ଷ ପକ୍ଷରୁ ଶୀଘ୍ର ମେଡିକାଲ୍ ବୁଲେଟିନ ଜାରି କରାଯାଇପାରେ। ସୂଚନାଯୋଗ୍ୟ, ଚଳିତ ବର୍ଷ ବିଜେପିର ଏହି ବରିଷ୍ଠ ନେତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଦେଶର ସର୍ବୋଚ୍ଚ ନାଗରିକ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବୁଧବାର ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି ।

୧୯୨୭ ନଭେମ୍ବର ୮ ତାରିଖରେ କରାଚିରେ ଜନ୍ମିତ ଲାଲକୃଷ୍ଣ ଆଡ଼ଭାନୀ ୧୯୮୬ରୁ ୧୯୯୦ ପର୍ଯ୍ୟନ୍ତ ପୁଣି ୧୯୯୩ରୁ ୧୯୯୮ ପର୍ଯ୍ୟନ୍ତ ଓ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସେ ୧୯୪୨ରେ ସ୍ଵଂୟ ସେବକ ଭାବେ ଆରଏସଏସରେ ଯୋଗ ଦେଇଥିଲେ। ପାଖାପାଖି ତିନି ଦଶନ୍ଧିର ସାଂସଦ କାର୍ଯ୍ୟକାଳରେ ସେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ପ୍ରଥମେ ଗୃହ ମନ୍ତ୍ରଣାଳୟ ଦାୟିତ୍ଵ ସମ୍ଭାଳିଥିଲେ। ଏହା ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଉପ ପ୍ରଧାନମନ୍ତ୍ରୀ ରହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.