ଚଷମା ପିନ୍ଧି ବ୍ୟାଟିଂ କରିବାକୁ ଆସିଲେ ଶ୍ରେୟସ ଆୟର, କିନ୍ତୁ ଖୋଲି ପାରିଲେନି ଖାତା

Published By : Prameya-News7 Bureau | September 14, 2024 IST

ନୂଆଦିଲ୍ଲୀ ୧୪/୦୯: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର ଶ୍ରେୟସ ଆୟର । କୋଲକାତା ନାଇଟ୍ ରାଇଡର୍ସ କ୍ୟାପଟେନ । ବ୍ୟାଟିଂ କରନ୍ତି ଜବରଦସ୍ତ । ମୈଦାନରେ ଷ୍ଟାଇଲ ବି ତାଙ୍କର ସେମିତି । ହେଲେ ଏବେ ସେ ଦିଲ୍ଲୀପ ଟ୍ରଫିରେ ଇଣ୍ଡିଆ ଡିର ଅଧିନାୟକ । ଦିଲ୍ଲୀପ ଟ୍ରଫିରେ ଖେଳୁଛନ୍ତି ସେ ।

ହେଲେ ଶ୍ରେୟସ ଆୟର ଏବେ ସୋଶାଲ ମିଡିଆରେ ହେଉଛନ୍ତି ଜୋରଦାର ଟ୍ରେଣ୍ଡ । ନିଜର ଷ୍ଟାଇଲିସ ଅନ୍ଦାଜ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି । ଖାସ୍ କରି ତାଙ୍କ ଆଚରଣ ପାଇଁ ସେ ଏବେ ଚର୍ଚ୍ଚିତ । ଏମିତିକି ତାଙ୍କପ ଏହି ଅନ୍ଦାଜ ପାଇଁ ସେ ଏବେ ସମାଲୋଚିତ । 

ସୂଚନା ଥାଉକି, ଆୟର ଏବେ ଦଲିପ ଟ୍ରଫିରେ ଇଣ୍ଡିଆ ଡି’ର ନେତୃତ୍ୱ ନେଉଛନ୍ତି । ପ୍ରଥମ ମ୍ୟାଚ୍‌ରେ ସେ ଯଥାକ୍ରମେ ୯ ଓ ୫୪ ରନର ଇନିଂସ ଖେଳିଥିଲେ । ଫଳରେ ୪ ୱିକେଟରେ ଇଣ୍ଡିଆ ସି’ ଠାରୁ ହାରିଥିଲା ତାଙ୍କ ଟିମ୍ । ସେହିଭଳି ଦ୍ୱିତୀୟ ମ୍ୟାଚ୍‌ରେ ସେ ଟସ୍‌ ଜିତି ମୟଙ୍କ ଅଗ୍ରୱାଲଙ୍କ ଇଣ୍ଡିଆ ଏ’କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । 

ଇଣ୍ଡିଆ-ଏ ୨୯୦ ରନ କରି ଅଲଆଉଟ ହୋଇଯାଇଛି । ତେବେ ଇଣ୍ଡିଆ ଡି’ ମଧ୍ୟ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୫୫ ରନରେ ତା’ର ପ୍ରଥମ ୪ ୱିକେଟ ହରାଇଥିଲା । ଏମାନଙ୍କ ମଧ୍ୟରେ ଅଧିନାୟକ ଶ୍ରେୟସ ଆୟର ମଧ୍ୟ ରହିଥିଲେ। ସେ ଖାତା ‌ଖୋଲିବାକୁ ସକ୍ଷମ ହୋଇନାହାନ୍ତି । 

ଅଥର୍ବ ଟାଇଡେ(୪) ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ସନଗ୍ଲାସ ବା ଚଷମା ପିନ୍ଧି ବ୍ୟାଟିଂ କରିଥିଲେ । ସେ ହେଲମେଣ୍ଟ ଭିତରେ ସନଗ୍ଲାସ ପିନ୍ଧି ବ୍ୟାଟିଂ କରିବା ସମସ୍ତଙ୍କୁ ଚକିତ କରିଥିଲା । ସେ ୭ଟି ବଲରେ ଶୂନ କରି ଆଉଟ ହେବା ପରେ ସମସ୍ତେ ତାଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ପ୍ରଥମେ ସେ ସନଗ୍ଲାସ ପିନ୍ଧି ବ୍ୟାଟିଂ କରିବାରୁ ତାଙ୍କ ଲୁକ୍‌କୁ ଫ୍ୟାନ୍ସ ପ୍ରଶଂସା କରିଥିଲେ । ହେଲେ ସେ ଖାତା ନ ଖୋଲିପାରିବାରୁ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.