ନୂଆଦିଲ୍ଲୀ ୨୮।୩: ସରକାର ୨୦୨୫-୨୬ ଆର୍ଥିକ ବର୍ଷର ଏପ୍ରିଲ-ଜୁନ ତ୍ରୈମାସିକ ନିମନ୍ତେ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ଜାତୀୟ ସଞ୍ଚୟ ସାର୍ଟିଫିକେଟ୍ (ଏନଏସସି) ଓ ସାର୍ବଜନିକ ଭବିଷ୍ୟନିଧି (ପିପିଏଫ) ସମେତ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର ଅପରିବର୍ତ୍ତିତ ରହିବ। ଏହା ଲଗାତାର ପଞ୍ଚମ ତ୍ରୈମାସିକ ଯେଉଁଥିରେ ସ୍ୱଳ୍ପ ସଞ୍ଚୟ ଯୋଜନା ଉପରେ ସୁଧହାରରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ।
ଅର୍ଥମନ୍ତ୍ରାଳୟ ଶୁକ୍ରବାର ଏକ ଅଧିସୂଚନାରେ ଜଣାଇଛନ୍ତି ଯେ ୧ ଏପ୍ରିଲରୁ ଆରମ୍ଭ ହୋଇ ୩୦ ଜୁନ ୨୦୨୫ରେ ସମାପ୍ତ ହେଉଥିବା ତ୍ରୈମାସିକରେ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାର ୨୦୨୪-୨୫ର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ନିମନ୍ତେ ଅଧିସୂଚିତ ଦର ଅପରିବର୍ତ୍ତିତ ରହିବ। ଅଧିସୂଚନା ଅନୁସାରେ ସୁକନ୍ୟା ସମୃଦ୍ଧି ଯୋଜନା ଜମା ଉପରେ ୮.୨% ସୁଧ ମିଳିବ। ସେହିପରି ୩ ବର୍ଷର ଅବଧି ଜମା ଉପରେ ଜାରି ତ୍ରୈମାସିକରେ ୭.୧%ସୁଧ ମିଳିବ।
ଲୋକପ୍ରିୟ ସାର୍ବଜନିକ ଭବିଷ୍ୟନିଧି (ପିପିଏଫ) ଓ ଡାକଘର ସଞ୍ଚୟ ଜମା ଯୋଜନା ସୁଧହାର ଆଗାମୀ ତ୍ରୈମାସିକ ନିମନ୍ତେ ଯଥାକ୍ରମେ ୭.୧ ଓ ୪% ରହିବ। ସେହିପରି କିସାନ ବିକାଶ ପତ୍ର ଉପରେ ସୁଧହାର ପୂର୍ବ ଭଳି ୭.୫% ମିଳୁଥିବା ବେଳେ ଏହି ନିବେଶ ୧୧୫ ମାସରେ ପରିପକ୍ୱ ହେବ। ଏହା ଛଡା ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନଏସସି) ଉପରେ ସୁଧହାର ଏପ୍ରିଲ-ଜୁନ ୨୦୨୫ ତ୍ରୈମାସିକରେ ୭.୭% ରହିବ। ସେହିପରି ମାସିକ ଆୟ ଯୋଜନା (ଏମଆଇପି) ନିବେଶକଙ୍କ ନିମନ୍ତେ ଏବେକା ପରି ଆଗାମୀ ତ୍ରୈମାସିକରେ ୭.୪% ସୁଧ ମିଳିବ।
ସରକାର ଗତ ଥର ୨୦୨୩-୨୪ ଚତୁର୍ଥ ତ୍ରୈମାସିକରେ କିଛି ଯୋଜନାର ସୁଧହାର ଶେଷ ଥର ପରିବର୍ତ୍ତନ କରିଥିଲେ। ତା ପରଠାରୁ ଲଗାତାର ୫ଟି ତ୍ରୈମାସିକରେ ଏହି ସୁଧହାର ଅପରିବର୍ତ୍ତିତ ଥିବା ବେଳେ ପ୍ରତି ତ୍ରୈମାସିକରେ ସ୍ୱଳ୍ପ ସଞ୍ଚୟ ଯୋଜନାରେ ସୁଧହାରର ଅଧିସୂଚନା ଜାରି କରିଆସୁଛନ୍ତି।