ରାଜା ରଘୁବଂଶୀ ହତ୍ୟା ମାମଲା: ୧୩ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ସୋନମ ଓ ରାଜ କୁଶୱାହ

Published By : Prameya-News7 Bureau | June 21, 2025 IST

ସିଲଙ୍ଗ ୨୧।୬: ସିଲଙ୍ଗର ଏକ କୋର୍ଟ ୨୧ ଜୁନ ଶନିବାର ରାଜା ରଘୁବଂଶୀ ହତ୍ୟା ମାମଲାରେ ଅଭିଯୁକ୍ତ ସୋନମ ରଗୁବଂଶୀ ଓ ରାଜ କୁଶୱାହଙ୍କୁ ୧୩ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମେଘାଳୟର ଇଷ୍ଟ ଖାସି ହିଲସ୍ ଜିଲ୍ଲା ସେସନସ କୋର୍ଟରେ ହାଜର କରାଯାଇଥିଲା। ତେବେ ପୋଲିସ ଅଭିଯୁକ୍ତଙ୍କ ରିମାଣ୍ଡ ନିବେଦନ ନ କରିବାରୁ କୋର୍ଟ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। 

ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ ୨୩ ମେ ୨୦୨୫ରେ ମେଘାଳୟର ସୋହରା ଅଞ୍ଚଳକୁ ହନିମୁନ ଲାଗି ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ। ପରେ ଜୁନ ୨ ତାରିଖ ଦିନ ରାଜାର କ୍ଷତବିକ୍ଷତ ଶବ ଏକ ଘାଟିରୁ ମିଳିଥିଲା ଓ ସେତେବେଳେ ସୋନମ ନିଖୋଜ ଥିଲେ। ଏହା ପରେ ପୋଲିସ ରାଜ କୁଶୱାହ ଓ ୩ ହତ୍ୟାକାରୀ ଆକାଶ ରାଜପୁତ (୧୯),  ବିଶାଲ ସିଂହ ଚୌହାନ (୨୨) ଓ ରାଜ ସିଂହ କୁଶୱାହ (୨୧)ଙ୍କୁ ୟୁପି ଓ ମଧ୍ୟପ୍ରଦେଶରୁ ଗିରଫ କରିଥିଲା। ଏହା ପରେ ସୋନମ ତାଙ୍କ ପତିଙ୍କ ହତ୍ୟା ମାମଲାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଦେଇଥିଲେ। 

ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଡନ କିଟବୋର କୋଶି ମିହସିଲଙ୍କ କୋର୍ଟ ଜୁନ ୧୧ ତାରିଖ ଦିନ ୫ ଅଭିଯୁକ୍ତଙ୍କୁ ୮ ଦିନିଆ ପୋଲିସ ରିମାଣ୍ଡରେ ଛାଡିଥିଲେ, ଯେଉଁମାନଙ୍କୁ ପୁଣି ଟ୍ରାଞ୍ଜିଟ ରିମାଣ୍ଡରେ ମେଘାଳୟ ଅଣାଯାଇଥିଲା। ସିଲଙ୍ଗର ଏକ କୋର୍ଟ ସୋନମ ରଘୁବଂଶୀ ଓ ତାଙ୍କ କଥିତ ପ୍ରେମିକ ରାଜ କୁଶୱାହର ପୋଲିସ ରିମାଣ୍ଡ ୨ ଦିନ ବଢାଇ ଦେଇଥିଲେ।  


 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.