ଭୁବନେଶ୍ବର ୧୦।୫: ମେ’ ୨୭ ତାରିଖରେ କେରଳ ଛୁଇଁବ ମୌସୁମୀ ! ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ସମ୍ଭାବନା ରହିଛି । ମେ'୨୭ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ସମ୍ଭାବନା ରହିଛି । ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ । ଏ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ‘ଏକ୍ସ’ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ।
ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଲେଖିଛନ୍ତି, ଏଥର ସଅଳ ମୌସୁମୀ । ୨୭ ମେ’ (ମଡେଲ ଜନିତ ତ୍ରୁଟି ±୪ ଦିନ) ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡକୁ କେରଳ ନିକଟରେ ଛୁଇଁବା ସମ୍ଭାବନା ।
ତେବେ ୨୦୨୪ ମସିହାରେ ମେ’ ୩୦ ତାରିଖରେ କେରଳ ଛୁଇଁଥିବା ବେଳେ ୨୦୨୩ ମସିହାରେ ଜୁନ୍ ୮ ତାରିଖ, ୨୦୨୨ ମସିହାରେ ମେ’ ୨୯ ତାରିଖ, ୨୦୨୧ ମସିହାରେ ଜୁନ୍ ୩ ତାରିଖ, ୨୦୨୦ ମସିହାରେ ଜୁନ୍ ୧ ତାରିଖରେ କେରଳ ଛୁଇଁଥିଲା ।
ଏଥର ସଅଳ ମୌସୁମୀ
— usd (@usd0705) May 10, 2025
27 ମଇ (ମଡେଲ ଜନିତ ତ୍ରୁଟି ±4 ଦିନ) ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କୁ କେରଳ ନିକଟରେ ଛୁଇଁବା ସମ୍ଭାବନା l pic.twitter.com/tep3FO4slh
ସେପଟେ ଆସନ୍ତା ୫ ଦିନ ରାଜ୍ୟରେ ଭୀଷଣ ଗ୍ରୀଷ୍ମଲହରୀ ବହିବ। ଗୁଳୁଗୁଳି ବି ଅଣନିଃଶ୍ୱାସୀ କରିବ । ୧୪ ତାରିଖ ଯାଏ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିବନି। ଶନିବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଓ ଗୁଳୁଗୁଳି ରହିବ। ୧୧, ୧୨ ଓ ୧୩ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରି ବହିପାରେ। ୧୪ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଲହରି ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ଗରମ ଓ ଗୁଳୁଗୁଳି ହୋଇପାରେ। ୧୧ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମଲହରୀ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୂରଭଞ୍ଜରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି। ୧୨ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୧୩ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମଲହରୀ କଲବଲ କରିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଅସମ୍ଭାଳ ଗରମ ଓ ଗୁଳୁଗୁଳି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
You Can Read:
ବିଚଳିତ ହୁଅନ୍ତୁ ନାହିଁ, ଓଡ଼ିଶାରେ ସେଭଳି ପରିସ୍ଥିତି ନାହିଁ : ସୁରେଶ ପୂଜାରୀ