ଆଗକୁ ଆସୁଛି ବଡ଼ ବର୍ଷା, ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟରେ ସତର୍କ କରାଇଲେ SRC

Published By : Prameya-News7 Bureau | May 27, 2025 IST

ଭୁବନେଶ୍ବର : ଆଗକୁ ଆସୁଛି ବଡ଼ ବର୍ଷା, ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଲେ ସ୍ବତନ୍ତ୍ର ରିଲିଫ୍ କମିଶନର । ରାଜ୍ୟରେ ବର୍ଷା ସତର୍କତା ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସ୍‌ଆର୍‌ସି ଦେଓରଞ୍ଜନ କୁମାର ସିଂହ । ସମ୍ଭାବ୍ୟ ବର୍ଷା ପାଇଁ ପ୍ରସ୍ତୁତ ଓ ସତର୍କ ରହିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ସତର୍କ କରାଇଛନ୍ତି । ବଜ୍ରପାତ ଅଘଟଣ ଏଡ଼ାଇବାକୁ ଲୋକଙ୍କୁ ସଚେତନ କରିବାକୁ କରିଛନ୍ତି ଏସ୍‌ଆର୍‌ସି । କ୍ଷୟକ୍ଷତି ବାବଦରେ ତୁରନ୍ତ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ମତ୍ସ୍ୟଜୀବୀଙ୍କ ପାଇଁ ନିୟମ କଡ଼ାକଡ଼ି କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଆଗକୁ ଅଗ୍ରସର ହେଉଛି । ସୋମବାର ଏହା ମୁମ୍ବାଇ ସମେତ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, କର୍ଣ୍ଣାଟକ, ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳ, ତ୍ରିପୁରା, ମଣିପୁର, ନାଗାଲାଣ୍ଡ ଓ ଆସାମର କିଛି ଅଞ୍ଚଳରେ ପହଞ୍ଚିଛି । ୨୮ ବା ୨୯ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିପାରେ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି । 

ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା, ୨୯ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା

ମଙ୍ଗଳବାର ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର  ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର  ସମ୍ଭାବନା ଅଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶା ସମେତ  ଉତ୍ତର ଓଡ଼ିଶା, ସୁନ୍ଦରଗଡ଼ ଓ ଦେବଗଡ଼ରେ ଭଲ ବର୍ଷା  ହେବ । ଆଗକୁ ବର୍ଷା ହେବାର ଥିବାରୁ ୨୯ ତାରିଖ ସୁଦ୍ଧା ଓଡ଼ିଶାରେ ମୌସୁମୀ ପହଞ୍ଚିଯିବ ବୋଲି ପାଣିପାଗ ବିଭାଗ  ଆକଳନ କରିଛି ।

ମଙ୍ଗଳବାର ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା  ସମ୍ଭାବନା ଅଛି । କୋରାପୁଟ, ମାଲକାନଗିରି, ନବରଙ୍ଗପୁର,  ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ଭାରି  ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ,  ସୋନପୁର, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ  ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କି.ମି. ବେଗରେ ପବନ  ବହିବ ବୋଲି ପାଣିପାଗ ବିଭାଗ ସତର୍କତା ଜାରି କରିଛି । 

You Can Read:



  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.