ନୂଆଦିଲ୍ଲୀ: ସୋନୀ ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର’ ସିଜିନ ୪ର ବିଜୟୀ ହୋଇଛନ୍ତି ସିଲଂର ଷ୍ଟିଭ ଜରିଓ୍ବା । ଶୋର ଜୁରୀ କରିସ୍ମା କପୂର, ଟେରନ୍ସ ଲୁଇସ ଏବଂ ଗୀତା କପୂର ଇଣ୍ଡିଆର ବେଷ୍ଟ ଡାନ୍ସର ଘୋଷିତ କରିଛନ୍ତି। ଷ୍ଟିଭଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯାଇଛି।
ଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଥିବା ଟପ୍ ୬ ଡାନ୍ସରଙ୍କ ମଧ୍ୟରେ ୫ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଷ୍ଟିଭ ଟ୍ରଫି ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି।ଫାଇନାଲରେ ତାଙ୍କ ପାଇଁ ସବୁଠୁ ବଡ଼ ପ୍ରତିନ୍ଦ୍ବନ୍ଦୀ ଥିଲେ ଦୀପକ ସାହୀ । ତେବେ ଟ୍ରଫି ସହ ତାଙ୍କୁ ସୋନୀ ଟିଭିରେ ଆସିବାକୁ ଥିବା ନୂଆ ସୋ ପାଇଁ ମଧ୍ୟ ଅଫର ମିଳିଛି। ସେ ନୂଆ ରିଆଲିଟି ସୋରେ ନଜର ଆସିବେ।
ପୂରା ଦେଶରୁ ଚୟନ ହୋଇଥିବା ୧୨ ଡାନ୍ସରଙ୍କ ସହ ଆରମ୍ଭ ହୋଇଥିଲା ଶୋ। ମହାରାଷ୍ଟ୍ରରୁ ଅର୍ଜୁନ ସାଠେ, ଅମୋସ ମାଥୀ ଏବଂ ଅକିନା ଅର୍ଥାତ ଆକାଂକ୍ଷା ମିଶ୍ରା ଚୟନ ହୋଇଥିଲେ। ପାଟନାର ହର୍ଷ କେସରୀ, ଛତିଶଗଡ଼ର ନିଖିଲ ପଟ୍ଟନାୟକ, ନେକ୍ସିୟନ ନାଁରେ ପରିଚିତ ଓଡ଼ିଶାର ସ୍ମୃତି ସ୍ବରୂପ ପାତ୍ର ଏବଂ ଦିବ୍ୟଜ୍ୟୋତି ନାୟକ, ନେପୋ ନାଁରେ ପରିଚିତ ଉତ୍ତରାଖଣ୍ଡର ଡାନ୍ସର ଦୀପକ ସାହୀ ରହିଥିଲେ। ସେହିଭଳି ବେଙ୍ଗାଲୁରୁର ବୈଷ୍ଣବୀ ଶେଖାଓ୍ବତ, ସିଲଂର ଷ୍ଟିଭ ଜିରବା, ପଞ୍ଜାବର ଚିତ୍ରାକ୍ଷୀ ଏବଂ ଆସାମର ଡାନ୍ସର ରୋହନ ଚୌଧୁରୀ ମଧ୍ୟ ଏହି ତାଲିକାରେ ରହିଥିଲେ।
ସୂଚନାଥାଉକି, ଇଣ୍ଡିଆଜ ବେଷ୍ଟ ଡାନ୍ସରର ଫର୍ମାଟ ଅନ୍ୟ ଡାନ୍ସ ସୋ ଠାରୁ ଭିନ୍ନ। କାରଣ ଇଣ୍ଡିଆଜ ବେଷ୍ଟ ଡାନ୍ସର ପ୍ଲାଟଫର୍ମରେ ଡାନ୍ସର ନିଜ କୋରିଓଗ୍ରାଫରଙ୍କ ସହ ନୃତ୍ୟ କରିଥାନ୍ତି। ଇଣ୍ଡିଆଜ ବେଷ୍ଟ ଡାନ୍ସର ସିଜିନ ୪ର ବିଜେତା ହୋଇଥିବା ଷ୍ଟିଭଙ୍କୁ ରକ୍ତିମ ଠାକୁରିୟା ଡାନ୍ସ ଟ୍ରେନିଂ ଦେଇଥିଲେ। ରକ୍ତିମ ନିଜେ ଜଣେ ଖୁବ୍ ଉଚ୍ଚକୋଟୀର ଡାନ୍ସର। ସେ ମଧ୍ୟ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର’ ସିଜିନ ୨ର ଫାଇନାଲିଷ୍ଟ ରହିଥିଲେ। ଆଉ ଷ୍ଟିଭ ଏହି ଶୋରେ ଟ୍ରଫି ଜିତି ନିଜ ଡାନ୍ସ ଗୁରୁ ରକ୍ତିମଙ୍କ ଅଧୁରା ସ୍ବପ୍ନ ମଧ୍ୟ ପୂରଣ କରିଛନ୍ତି।