ଭୁବନେଶ୍ଵର: ଫର୍ମ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସୁଭଦ୍ରା ଫର୍ମର ସମସ୍ତ ପ୍ରକ୍ରିୟା ସ୍କାନିଂ ଓ ଅପଲୋଡ୍ ପାଇଁ ସମସ୍ତ ଉଦ୍ଦିଷ୍ଟ କେନ୍ଦ୍ରକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ GST ସହ ପ୍ରତି ଫର୍ମ ପିଛା ୧୫ଟଙ୍କା ପ୍ରଦାନ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଆବେଦନ ଫର୍ମ ବିତରଣ ଓ ଅନଲାଇନ୍ ପଞ୍ଜୀକରଣ କରିବା ପାଇଁ ଆବେଦନକାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।
କିନ୍ତୁ କିଛି ସ୍ଥାନରେ ଅଙ୍ଗନବାଡ଼ି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଉଭୟ ଫର୍ମ ଓ ଅନଲାଇନ୍ ଅପଲୋଡ୍ କରିବା ପାଇଁ ୫୦ରୁ ୨୦୦ ଟଙ୍କା ଅର୍ଥ ଦାବି କରୁଥିବା ସୂଚନା ମିଳୁଛି । ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ, ସେଥି ନିମନ୍ତେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୋଗ ପରେ ବାଲେଶ୍ବର ଜିଲ୍ଲାରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏକ ମାସର ଦରମା ବନ୍ଦ କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶରେ ଏକ ଜନସେବା କେନ୍ଦ୍ରକୁ ସାମୟିକ ବନ୍ଦ କରାଯାଇଛି । କଟକ ଜିଲ୍ଲା ଆଠଗଡ଼ରେ ଏକ ମୋ ସେବା କେନ୍ଦ୍ରରେ ଫର୍ମ ବିକ୍ରି ଓ ପୂରଣ ବାବଦରେ ୧୦୦ ଟଙ୍କା ଅର୍ଥ ଦାବି ଅଭିଯୋଗ ବିରୋଧରେ କଟକ ମହାନଗର ନିଗମ ପକ୍ଷରୁ ଏତଲା ଦାଖଲ ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେଣୁ ସୁଭଦ୍ରା ପାଇଁ ଯେକୌଣସି କେନ୍ଦ୍ରରେ କେହି କର୍ମଚାରୀ କୌଣସି କାରଣ ଦର୍ଶାଇ ଅର୍ଥ ଦାବି କରିବା ଦୃଷ୍ଟିକୁ ଆସିଲେ ତୁରନ୍ତ ନିକଟସ୍ଥ ଥାନାରେ ଅଭିଯୋଗ କରନ୍ତୁ | ଉକ୍ତ କର୍ମଚାରୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।