ବ୍ରହ୍ମପୁର ୨୧।୮: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସରଗରମ । ବିଶ୍ୱବିଦ୍ୟାଳୟ ମୋନାର୍କ ଗେଟ୍ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ।ଛାତ୍ର-ଅଣଛାତ୍ର ମୁହାଁମୁହିଁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ଥିବା ବେଳେ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର-ଅଣଛାତ୍ର ମୁହାଁମୁହିଁ ଫଳରେ ଜଣେ ଛାତ୍ର ଆହତ ହୋଇଥିଲେ । ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ଦ୍ଵିତୀୟ ବର୍ଷ ଛାତ୍ର ଅଭିଳାଷ ମିଶ୍ର ଆହତ ହୋଇଥିଲେ । ଆହତ ଛାତ୍ରଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ମେଡିକାଲରେ ଚିକିତ୍ସା ପରେ ବିଶ୍ୱବିଦ୍ୟାଳୟ ଫେରିଥିଲେ । ବିଶ୍ୱବିଦ୍ୟାଳୟ ଭଞ୍ଜ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ କେତେକ ଅଣଛାତ୍ର ଯୋଗ ଦେଇଥିବା ବେଳେ ଏହାର ଆପତ୍ତି ଉଠାଇଥିଲେ ଅଭିଳାଶ ମିଶ୍ର । ପରେ କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିଲା । ମୋନାର୍କ ଛକରେ ଛାତ୍ର ଜଣଙ୍କ ଠିଆ ହୋଇଥିବା ବେଳେ ଅଚାନକ ଆସି ହେଲାମେଟରେ ତାଙ୍କ ମୁଣ୍ଡକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ୧୨ ଜଣ ଅଣଛାତ୍ର ଆକ୍ରମଣରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ କରିଥିଲେ ଆହତ ଛାତ୍ର । ପରେ କିଛି ଛାତ୍ର ବୁଧବାର ରାତିରେ ଗୋପାଳପୁର ଥାନାରେ ଅଭିଯୋଗ ଦେବାକୁ ଯାଇଥିବା ବେଳେ ଥାନାରେ ସେମାନଙ୍କୁ କିଛି ଯୁବକ ଧମକ ଚମକ ଦେଇଥିଲେ । ଘଟଣାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶହ ଶହ ସମର୍ଥକ ମାନେ ଥାନା ଆଗରେ ଧାରଣା ଦେଇଥିଲେ । ଆକ୍ରମଣ କରିଥିବା ଏବଂ ଘଟଣାରେ ସମ୍ପୃକ୍ତ ଥିବା ଅଣଛାତ୍ରଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଧାରଣା ଦେଇଥିଲେ ।
You Can Read:
ଆସନ୍ତା ୨୫ରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି, ଜୀବନ ପ୍ରତି ବିପଦ ଥିବା କହିଲେ