ମୁମ୍ବାଇ: ଆଇପିଏଲ୍ ୨୦୨୫ରେ ସଂପ୍ରତି ରୋଚକ ମୋଡ଼ ନେଇଛି। ତିନୋଟି ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ବେଳେ ଟପ୍ ୪ ଦଳ ୧୪ରୁ ୧୬ ଅଙ୍କ ପାଇଗଲେଣି। ତଥାପି ପ୍ଲେ ଅଫ ଟିକେଟ୍ ଏ ପର୍ଯ୍ୟନ୍ତ ସୁନିଶ୍ଚିତ ହୋଇ ପାରିନି। ଏମିତି ମୋଡ଼ରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜେତା ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବ। ଆଜିର ମୁକାବିଲାରେ ଗୁଜରାଟ ଟାଇଟନ୍ସ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବ ମୁଣ୍ଡ ବିନ୍ଧାର କାରଣ ପାଲଟି ପାରନ୍ତି। କାରଣ ସୂର୍ଯ୍ୟଙ୍କ ରେକର୍ଡ ଜିଟି ବିରୋଧରେ ଦମଦାର ରହିଛି।
ଆଜିର ମ୍ୟାଚ୍ ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ମୁମ୍ବାଇ ଏ ପର୍ଯ୍ୟନ୍ତ ୧୧ଟି ମ୍ୟାଚ୍ ଖେଳି ୭ ବିଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଦଳ ମଜବୁତ ନେଟ୍ ରନ ରେଟ୍ ସହ ଅଙ୍କ ତାଲିକାରେ ତୃତୀୟରେ ରହିଛି। ଗୁଜରାଟ ୧୦ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଗୁଜରାଟ ଆଜିର ମ୍ୟାଚ୍ ଜିତି ପ୍ଲେ ଅଫ୍ ପାଇଁ ନିଜର ଦାବିଦାର ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ପାରନ୍ତି।
Also read: ପାକିସ୍ତାନ ସହ ଭାରତର କ୍ରିକେଟ୍ ମ୍ୟାଚ୍ ହେବ କି ? ରୋକ୍ଠୋକ୍ ଜବାବ ଦେଲେ ଗମ୍ଭୀର
ସୂର୍ଯ୍ୟକୁମାର ଯାଦବଙ୍କ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରେକର୍ଡ ଦମଦାର ରହିଛି। ସୂର୍ଯ୍ୟ ଜିଟି ବିପକ୍ଷରେ ୫ଟି ଇନିଂସରୁ ୬୨ ହାରରେ ୨୪୮ ରନ କରିଛନ୍ତି। ଏଥିରେ ଗୋଟିଏ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସାମିଲ। ଗୁଜରାଟ ବିପକ୍ଷରେ ସୂର୍ଯ୍ୟଙ୍କ ସର୍ବୋଚ୍ଚ ସ୍କୋର ୧୦୩ ରନ ରହିଛି। ଆଉ ଷ୍ଟ୍ରାଇକ ରେଟ୍ ୧୮୦ ରହିଛି। ଯଦି ଆଜିର ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ କ୍ରିଜରେ ତିଷ୍ଠି ରୁହନ୍ତି ତେବେ ଗୁଜରାଟଙ୍କୁ ବେଶ ମହଙ୍ଗା ପଡ଼ିପାରେ।