ରାଜ୍ୟସଭା ନିର୍ବାଚନରେ ପତ୍ନୀ ସୁନେତ୍ରାଙ୍କୁ ମୈଦାନକୁ ଓହ୍ଲାଇଲେ ଅଜିତ୍ ପାୱାର, କହିଲେ-ଲୋକଙ୍କ ଡିମାଣ୍ଡ ଥିଲା

Published By : Prameya-News7 Bureau | June 13, 2024 IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ୨୦୨୪ରେ ପରାଜିତ ହେବା ପରେ ଏବେ ରାଜ୍ୟସଭାକୁ ଯାଇ ସାଂସଦ ହେବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ପତ୍ନୀ । ସୁନେତ୍ରା ପାୱାର ମଙ୍ଗଳବାର ମହାରାଷ୍ଟ୍ରରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ଏନସିପିର ବରିଷ୍ଠ ନେତା ପ୍ରଫୁଲ ପଟେଲ, ସୁନୀଲ ଟାଟକରେ, ଛଗନ ଭୁଜବଲ, ନରହରୀ ଜିରୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ । 

କିଛି ରିପୋର୍ଟ ଅନୁସାରେ ପାର୍ଟିର ଅନ୍ୟତମ ବରିଷ୍ଠ ନେତା ଛଗନ ଭୂଜବଳ ରାଜ୍ୟସଭା ସିଟ୍ ପାଇଁ ଆଶାୟୀ ଥିଲେ । ତେବେ ସୁନେତ୍ରାଙ୍କ ନାମାଙ୍କନରେ ପାର୍ଟିରେ ମତଭେଦକୁ ବଢାଇପାରେ । ସେପଟେ କିନ୍ତୁ ନାମାଙ୍କନ ପତ୍ର ଦାଖଲ କରିବା ପରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ଏହି ଖବରକୁ ସୁନେତ୍ରା ଖଣ୍ଡନ କରିଥିଲେ । ସେ କହିଛନ୍ତି, 'ମୋତେ ଦଳ ଏଥିପାଇଁ ମନୋନୀତ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ଆମ ଦଳରେ ଏହି ପ୍ରସଙ୍ଗରେ କୌଣସି ପ୍ରକାର ମତଭେଦ ନାହିଁ, ପାର୍ଟି ନେତୃତ୍ୱଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି ।' ସେପଟେ ଛଗନ ଭୂଜବଳ ମଧ୍ୟ ମିଡିଆରେ ଚାଲିଥିବା ଅସନ୍ତୋଷ ଖବରକୁ ଖଣ୍ଡନ କରିଛନ୍ତି । ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ପତ୍ର ଦାଖଲର ତାରିଖ ଶେଷ ହୋଇଥିବା ବେଳେ ବିରୋଧୀ ମେଣ୍ଟ ମହାବିକାଶ ଅଘାଡି ଏହି ଆସନ ପାଇଁ ପ୍ରାର୍ଥୀ ନଦେବାକୁ ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.