ନାସିକ ଦର୍‌ଗାହ ଉପରେ ବୁଲ୍‌ଡୋଜର ଆକ୍ସନ ମାମଲା, ବମ୍ବେ ହାଇକୋର୍ଟଙ୍କ ଉପରେ ଅସନ୍ତୋଷ ଝାଡିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | April 18, 2025 IST

ମହାରାଷ୍ଟ୍ର ୧୮/୪:  ମହାରାଷ୍ଟ୍ରର ନାସିକ ସ୍ଥିତ ସତପିର  ଦର୍‌ଗାହ  ଉପରେ ହୋଇଥିବା ବୁଲ୍‌ଡୋଜର ଆକ୍ସନକୁ ନେଇ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ଏବେ ଏହି ମାମଲା ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି । କେବଳ ସେତିକି ନୁହଁ ଏହାକୁ ନେଇ ବମ୍ବେ ହାଇକୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ ସ୍ପଷ୍ଟୀକରଣ ମାଗି ପଚାରିଛନ୍ତି ସତପୀର ଦରଗାହ ବିରୋଧରେ ଜାରି ହୋଇଥିବା ନୋଟିସକୁ ଚ୍ୟାଲେଞ୍ଜ ଦେବା ପାଇଁ ଆବେଦନର ତତ୍‌କାଳ ଶୁଣାଣି ପାଇଁ କାହିଁକି ଡେରି ହେଲା । ସୁପ୍ରିମକୋର୍ଟ ଦର୍‌ଗାହ ଭାଙ୍ଗିବା ନୋଟିସ ଉପରେ ରୋକ୍‌ ଲଗାଇବା ସହ କୋର୍ଟଙ୍କ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । 

ନାସିକରେ ଥିବା ଏହି ସତପିର  ଦର୍‌ଗାହ  ଅନେକ ବର୍ଷ ଧରି ବିବାଦ ଘେରରେ ରହିଛି । ନାସିକ ନଗର ନିଗମ ଚଳିତ ବର୍ଷ ୧ ଏପ୍ରିଲରେ ଏହି ଧାର୍ମିକ ସ୍ଥଳକୁ ଅବୈଧ ଘୋଷଣା କରିବା ସହ ଭାଙ୍ଗିବାକୁ ନୋଟିସ୍‌ ଜାରି କରିଥିଲେ । ଏହାକୁ ବିରୋଧ କରି ଦର୍‌ଗାହ ପକ୍ଷରୁ ଏପ୍ରିଲ ୮ରେ  ମୁମ୍ବାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।  ଆଉ ୯ ଏପ୍ରିଲରେ ତତ୍‌କାଳ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଥିଲା । ହେଲେ ତତ୍‌କାଳ ଶୁଣାଣି ହୋଇନଥିଲା । ଦର୍‌ଗାହ ପକ୍ଷରୁ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଛି କି ଏହି ମାମଲାରେ ବମ୍ବେ ହାଇକୋର୍ଟ କୌଣସି ତତ୍‌କାଳ ଶୁଣାଣି କରିନାହାନ୍ତି । ଆଉ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏପରି ଡେରି ପାଇଁ ଅସନ୍ତୋଷ ପ୍ରକାଶ କରିବା ସହ ସର୍ବୋଚ୍ଚ ଅଦାଲତ କହିଛନ୍ତି ମୁଁ ବୁଝିପାରୁନି ୯ ଏପ୍ରିଲରୁ ଏବେ ପର୍ଯ୍ୟନ୍ତ କଣ ହୋଇଛି । ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ରେଜିଷ୍ଟାର ଜେନେରାଲଙ୍କୁ ଏକ ରିପୋର୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହି କଥା ଉପରେ ଗୁରୁତ୍ବ ଦେଇଛନ୍ତି କି ଏହି ସବୁ ମାମଲାରେ ତୁରନ୍ତ ଶୁଣାଣି କରିବା ଜରୁରୀ । କାହିଁକି ନା ଡେରି ହେଲେ ଅପୂରଣୀୟ କ୍ଷତି ହୋଇପାରେ ।  ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୧ ଏପ୍ରିଲକୁ ଧାର୍ଯ୍ୟ କରାଯାଇଛି । 

ନାସିକ ନଗର ନିଗମ ବମ୍ବେ ହାଇକୋର୍ଟଙ୍କ ଆଦେଶ ଅନୁସାରେ ବୁଧବାର ଦର୍‌ଗାହ ଉପରେ ବୁଲଡୋଜର ଚଲାଇ ମାଟିରେ ମିଶାଇ ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ସଂଘର୍ଷରେ ୨୧ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଟିୟର ଗ୍ୟାସ ପ୍ରୟୋଗ କରିବାକୁ ପଡିଥିଲା । ଗଣ୍ଡଗୋଳ ଓ ହିଂସା ମାମଲାରେ ୧୫ ଜଣକୁ ଉଠାଇ ନେଇଥିଲା ପୋଲିସ । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛି ପୋଲିସ । 

 


 

 

  • Maharashtra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.