ସାରା ଦେଶରେ ବୁଲ୍‌ଡୋଜର ଆକ୍ସନ୍ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ, ପରବର୍ତ୍ତୀ ଶୁଣାଣି ଯାଏ ରହିବ ବଳବତ୍ତର

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ସାରା ଦେଶରେ ବୁଲଡୋଜର ଆକ୍ସନ ଜରିଆରେ ଯେକୌଣସି ନିର୍ମାଣକୁ ଭାଙ୍ଗିବା ଉପରେ ରୋକ ଲଗାଇଛନ୍ତି । ଏହି ରୋକ୍ ଅକ୍ଟୋବର ୧ ଯାଏ ଲାଗୁ ରହିବ । ଏହି ତାରିଖରେ କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ । ଶୀର୍ଷ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି ସାର୍ବଜନୀନ ରାସ୍ତା, ଫୁଟପାଥ୍, ରେଲୱେ ଟ୍ରାକ୍ ଏବଂ ଅନ୍ୟ ସାର୍ବଜନୀନ ସ୍ଥାନରେ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଲାଗୁ ହେବ ନାହିଁ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ କୌଣସି ସମ୍ପତ୍ତି ଉପରେ ବୁଲଡୋଜର ଆକ୍ସନ ପୂର୍ବରୁ କୋର୍ଟଙ୍କ ଅନୁମତି ନେବାକୁ ପଡ଼ିବ । କୋର୍ଟଙ୍କ ବିନା ଅନୁମତିରେ ଏପରି କିଛି କରିପାରିବେ ନାହିଁ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ପରବର୍ତ୍ତୀ ଶୁଣାଣି ଯାଏ କୋର୍ଟଙ୍କ ବିନାଅନୁମତିରେ କୌଣସି ନିର୍ମାଣକୁ ଭାଙ୍ଗି ପାରିବେ ନାହିଁ । ତେବେ ଏହି ଆଦେଶ ସାର୍ବଜନୀନ ସ୍ଥାନରେ ବେଆଇନ ନିର୍ମାଣ ଭାଙ୍ଗିବା କ୍ଷେତ୍ରରେ ଲାଗୁ ହେବ ନାହିଁ । ଜଷ୍ଟିସ୍ ବିଆର ଗଭଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ବିଭିନ୍ନ ଆବେଦନର ଶୁଣାଣି କରିଛନ୍ତି, ଯେଉଁଥିରେ ବିଭିନ୍ନ ରାଜ୍ୟରେ ସରକାର ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର ଆକ୍ସନ ନେଉଛନ୍ତି । 

ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ସଲିସିଟର ଜେନେରାଲ୍ ତୁଷାର ମେହେତା ଆପତ୍ତି ଉଠାଇଥିଲେ । ସେ କହିଥିଲେ ଯେ ଏପରି ଭାବେ ସଂସ୍ଥାଗୁଡ଼ିକର ହାତ ବାନ୍ଧିବା ଠିକ୍ ନୁହେଁ । ଏହା ଉପରେ ଖଣ୍ଡପୀଠ ଅସହମତି ବ୍ୟକ୍ତ କରିଥିଲେ । ଜଷ୍ଟିସ ଗଭଇ କହିଛନ୍ତି, 'ଯଦି ବୁଲଡୋଜର ଆକ୍ସନକୁ ଦୁଇ ମାସ ବନ୍ଦ କଲେ ଆକାଶ ଛିଡ଼ି ପଡ଼ିବ ନାହିଁ । ନିଜ ହାତକୁ ନିୟନ୍ତ୍ରଣରେ ରଖନ୍ତୁ । ୧୫ ଦିନରେ ଏପରି କଣ ହୋଇଯିବ ।' ଖଣ୍ଡପୀଠ କହିଛନ୍ତି ଯେ ଆମେ ଧାରା ୧୪୨ ଅଧିନରେ ବିଶେଷ ଅଧିକାରକୁ ପ୍ରୟୋଗ କରି ଏହି ଆଦେଶ ଜାରି କରୁଛୁ ।

ଜଷ୍ଟିସ କେଭି ବିଶ୍ୱନାଥନ କହିଛନ୍ତି ଯେ ଯଦି ଗୋଟିଏ ବି ବୁଲଡୋଜର ଆକ୍ସନ ନିୟମ ବିରୁଦ୍ଧରେ ହୋଇଛି ତେବେ ତାହା ଭୁଲ ଅଟେ । ଏପରି ହେବା ସମ୍ୱିଧାନର ମୂଳ ଭାବନାର ବିପରୀତ ଅଟେ । ଜଷ୍ଟିସ୍ ଗଭଇ କହିଛନ୍ତି ଯେ ଆମେ ପୁଣି ଥରେ ସ୍ପଷ୍ଟ କରୁଛୁ ଯେ ବେଆଇନ ନିର୍ମାଣ ଭାଙ୍ଗିବା ବାଟରେ ଆମେ ଆସିବୁ ନାହିଁ, କିନ୍ତୁ କାର୍ଯ୍ୟପାଳିକ ଜଜ୍ ହୋଇପାରିବ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.