ଭୁବନେଶ୍ୱର ୧୫/୦୨: ୯ ମାସ ପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା । ଶୁକ୍ରବାର ନିଲମ୍ୱନ ହଟିବା ପରେ ଶନିବାର ସେ କଂଗ୍ରେସ ଭବନକୁ ଯାଇ ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ଭେଟିଛନ୍ତି । ଦୀର୍ଘ ଦିନ ପରେ କଂଗ୍ରେସକୁ ଫେରି ଖୁସି ଜାହିର କରିଛନ୍ତି ସୁର । ତେବେ କେବଳ ପିସିସି ସଭାପତି ନୁହଁନ୍ତି ରାହୁଲ ଗାନ୍ଧୀଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି ।
ସେ କହିଲେ ୯ମାସ ହେବ ବହୁତ ଯନ୍ତ୍ରଣାରେ ଥିଲି, ଆଜି ମୁଁ ମୋ ମନ୍ଦିରକୁ ଫେରିଛି । ସେ ଆହୁରି କହିଛନ୍ତି କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ । ଆଜି ମୋ ମନ୍ଦିରକୁ ମୁଁ ଫେରି, ବହୁତ ଖୁସି । ଦଳରେ 'ଆଉ କନ୍ଦଳ ରହିବନି, ମିଳିମିଶି ସଂଗଠନ ପାଇଁ କାମ କରିବୁ । ଆଖିରେ ଆଖିଏ ଲୁହ, ଛାତିରେ ପୁଳାଏ କୋହ କଂଗ୍ରେସ ଭବନ ଦୁଆର ମୁଣ୍ଡିଆ ମାରି ଭିତରକୁ ଆସିଥିଲେ ସୁର ।
କାରଣ ସେ ସମୟ ଥିଲା ନିଲମ୍ଵନ ହଟିବାର ଖୁସି । ଘରକୁ ଫେରିବାର ଖୁସି । ଆଉ ଦଳର ଲୋକେ ବି ଖୁସି କାରଣ, ଦୀର୍ଘ ୯ ମାସ ପରେ ଘରକୁ ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ। ଘର ବାହୁଡ଼ା ବେଳେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ।
ସୂଚନା ଥାଉକି, ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ପକ୍ଷରୁ ଶୁକ୍ରବାର ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଥିଲା । ଯେଉଁଥିରେ ସୂଚନା ଦିଆଯାଇଥିଲା କି, ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ୱନ ବା ବହିଷ୍କାର କରାଯାଇଥିଲା ତାହାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ ଦଳ ଛାଡି ଚାଲି ଯାଇଛନ୍ତି ସେମାନେ ପୁନର୍ବାର କଂଗ୍ରେସ ଦଳକୁ ଫେରି ଆସିବାକୁ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।
କହିବାକୁ ଗଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ନିର୍ବାଚନ ସମୟରେ ଦଳରୁ ନିଲମ୍ୱିତ କରାଯାଇଥିଲା । ପୁଅ ମନ୍ମଥ ବିଜେଡିରୁ ଟିକେଟ ପାଇ ଭୁବନେଶ୍ୱରରେ ନିର୍ବାଚନ ଲଢୁଥିବା ସମୟରେ ସୁର ନିଜ ପୁଅ ପାଇଁ ପ୍ରଚାର କରୁଥିଲେ । ଫଳ ସ୍ୱରୁପ ସୁରଙ୍କ ଉପରେ କଂଗ୍ରେସ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ତେବେ ସୁର ଗଣମାଧ୍ୟରେ କହିଥିଲେ ଯେ, ମୁଁ କଂଗ୍ରେସ ନେତା ନୁହେଁ ବରଂ ଜଣେ ବାପା ହିସାବରେ ପୁଅକୁ ସମର୍ଥନ କରି ପ୍ରଚାର କରୁଛି ।