ଭୁବନେଶ୍ବର ୨୨/୩: ରାଜ୍ୟରେ ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବଦଳିବ ସିଲାବସ୍ । ୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ପାଠ୍ୟକ୍ରମ । ଶନିବାର ଏ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜାତୀୟ ଶିକ୍ଷା ନୀତି- NEP ଅନୁସାରେ ନୂଆ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେବ । ନୂଆ ସିଲାବସ୍ର ଭାଷା, ସଂସ୍କୃତି ଓ ଐତିହ୍ୟକୁ ଅଧିକ ଗୁରୁତ୍ବ ମିଳିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ସେହିପରି ସ୍କୁଲ ପିଲାଙ୍କ ଆଡମିଶନକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ପହିଲା ସୁଦ୍ଧା ୬ ବର୍ଷ ହେବା ଜରୁରୀ । ସେ କହିଛନ୍ତି କେନ୍ଦ୍ରର ନିୟମ ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ପିଲାଙ୍କୁ ୬ ବର୍ଷ ହେଲେ ଆଡମିଶନ ନେଇପାରିବେ । କିନ୍ତୁ ଓଡ଼ିଶାରେ ଏହି ନିୟମକୁ କୋହଳ କରାଯାଇଛି । ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ୧ ସୁଦ୍ଧା ୬ ବର୍ଷ ହେଲେ ସ୍କୁଲରେ ନାମ ଲେଖାଇ ପାରିବେ । କେହି ପିଲା ଯେପରି ପାଠପଢାରୁ ବଂଚିତ ନ ହୁଅନ୍ତି ସେ ନେଇ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମନ୍ତ୍ରୀ । କିଛି ଦିନ ହେଲା ୬ ବର୍ଷରେ ପିଲାଙ୍କ ଆଡମିଶନକୁ ନେଇ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଥିଲା ଦ୍ବନ୍ଦ୍ବ ।