ନୂଆଦିଲ୍ଲୀ ୧୮।୦୪: ତାମିଲନାଡୁ ଅନ୍ତରୀକ୍ଷ ଅଦୌଗିକ ନୀତି ୨୦୨୪କୁ ଅନୁମୋଦନ କରିଛି ତାମିଲନାଡୁ କ୍ୟାବିନେଟ । ଏହାର ଲକ୍ଷ୍ୟ ୧୦ବର୍ଷ ମଧ୍ୟରେ ପ୍ରାୟ ୧୦ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ନିବେଶକଙ୍କୁ ପ୍ରୋତ୍ସାହିତ କରିବା । ଗୁରୁବାର କ୍ୟାବିନେଟ ବୈଠକରେ ମିଳିଛି ଅନୁମୋଦନ । ତାମିଲନାଡୁ ଶିଳ୍ପ ମନ୍ତ୍ରୀ ଟିଆରବି ରାଜା କହିଛନ୍ତି ଯେ ରାଜ୍ୟ ମହାକାଶ ପ୍ରଯୁକ୍ତିବିଦ୍ୟାରେ ବିଶ୍ୱ ସ୍ତରରେ ପ୍ରତିଯୋଗିତା କରିବାକୁ ଆମେ ପ୍ରସ୍ତୁତ । ସ୍ଥାନୀୟ କମ୍ପାନୀଗୁଡ଼ିକ ପୂର୍ବରୁ ଏଲନ ମସ୍କଙ୍କ ସ୍ପେସଏକ୍ସ ଭଳି ବିଶ୍ୱସ୍ତରୀୟ କମ୍ପାନୀ ସହିତ ସମାନ୍ତରାଳ ଭାବେ ଆଗେଇ ଚାଲିଛନ୍ତି ।
ଟିଆରବି ରାଜା କହିଛନ୍ତି କି ଆମେ ଭାବୁଥିଲୁ ଯେ ଏଲନ ମସ୍କଙ୍କ ସ୍ପେସଏକ୍ସ କେବଳ ମହାକାଶ କ୍ଷେତ୍ରରେ ମହାନ କାମ କରୁଛି। କିନ୍ତୁ ଚେନ୍ନାଇରେ ମଧ୍ୟ କମ୍ପାନୀଗୁଡ଼ିକ ଏହି କ୍ଷେତ୍ରରେ ଭଲ କାମ କରୁଛନ୍ତି । ମହାକାଶ ଦୌଡ଼ରେ ବିଶେଷକରି ଷ୍ଟାର୍ଟଅପ୍ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ଆମେ ଏହି ନୀତି ତିଆରି କରିଛୁ । ସେ ଆହୁରି କହିଛନ୍ତି କି ରାଜ୍ୟ ସରକାର ୩୦୦ କୋଟି ଟଙ୍କାରୁ ଅଧିକ ନିବେଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରିଛନ୍ତି।
ତାମିଲନାଡୁର କିଛି ଅଞ୍ଚଳରେ ସ୍ପେସ୍ ଓ୍ବେ ତିଆରି କରାଯିବ। ଆମେ ଏହି ସ୍ପେସ୍ ଓ୍ବେରେ ନିବେଶ କରୁଥିବା କମ୍ପାନୀଗୁଡ଼ିକୁ ଆହୁରି ସହାୟତା ପ୍ରଦାନ କରିବୁ । ଏହି କ୍ଷେତ୍ରରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ନୀତି ପ୍ରଗତିଶୀଳ ଦରମା ପ୍ରଦାନ କରିଥାଏ । ପ୍ରଥମ ବର୍ଷରେ ୩୦ ପ୍ରତିଶତ, ଦ୍ୱିତୀୟ ବର୍ଷରେ ୨୦ ପ୍ରତିଶତ ଏବଂ ତୃତୀୟ ବର୍ଷରେ ୧୦ ପ୍ରତିଶତ ପ୍ରୋତ୍ସାହନ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି।
ମାର୍ଚ୍ଚ ୨୦୨୫ରେ ଭାରତୀୟ ମହାକାଶ ସଂସ୍ଥା ISRO ଦେଶର ଦ୍ୱିତୀୟ ମହାକାଶ ବନ୍ଦର ନିର୍ମାଣ ଆରମ୍ଭ ଘୋଷଣା କରିଥିଲା। ଭାରତର ସବୁଠାରୁ ଛୋଟ ଏବଂ ନୂଆ ରକେଟ୍ SSLVର ଉତ୍କ୍ଷେପଣ ପାଇଁ ନିର୍ମିତ ହୋଇଥିଲା ଏହି ବନ୍ଦର । ଏହି ମହାକାଶ ବନ୍ଦରଟି ତାମିଲନାଡୁର ଥୁଥୁକୁଡି ଜିଲ୍ଲାର କୁଲଶେଖରପଟ୍ଟିନମରେ ଅବସ୍ଥିତ । ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରେ ନିର୍ମିତ ସ୍ପେସପୋର୍ଟ ହେଉଛି ଭାରତର ମହାକାଶ ପାଇଁ ଏକମାତ୍ର ପ୍ରବେଶ ପଥ। କୁଲଶେଖରପଟ୍ଟିନମରେ ମୁଖ୍ୟତଃ ଅତିବେଶୀରେ ୫୦୦ କିଲୋଗ୍ରାମ ଓଜନର ଛୋଟ ଉପଗ୍ରହକୁ ଲଞ୍ଚ କରିପାରିବ ।