ନୂଆଦିଲ୍ଲୀ: ଚେନ୍ନାଇର ଅନ୍ନା ବିଶ୍ବବିଦ୍ୟାଳୟରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଘଟଣାରେ ବିଜେପିର ବିରୋଧ ଜାରି ରହିଛି। ମାମଲାକୁ ପ୍ରତିବାଦ କରିବା ସହ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରିଆସୁଛି ବିଜେପି। ଦଳ ଅଭିଯୋଗ ଆଣିଛି ଅଭିଯୁକ୍ତ ଡିଏମକେର ପଦାଧିକାରୀ। ଅବଶ୍ୟ ଶାସକ ଦଳ ଏହି ଅଭିଯୋଗକୁ ଖାରଜ କରୁଛନ୍ତି।ତେବେ ଏହାରି ମଧ୍ୟରେ ବିଜେପି ରାଜ୍ୟ ସଭାପତି ଅନ୍ନାମଲାଇ ନିଜ ଉପରେ ଚାବୁକ ମାଡ଼ କରି ଘଟଣାର ପ୍ରତିବାଦ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଡିଏମକେ ସରକାରଙ୍କୁ ହଟାଇବା ପର୍ଯ୍ୟନ୍ତ ଚପଲ ପିନ୍ଧିବେନି ଆଉ ଖାଲିପାଦରେ ଚାଲିବେ ବୋଲି କହିଥିଲେ।
ଚାବୁକ ମାଡ଼କୁ ନେଇ ସେ କହିଛନ୍ତି ଏହା କୌଣସି ବ୍ୟକ୍ତି କିମ୍ବା କାହା ବିରୋଧରେ ନୁହେଁ। ଏହି ବିରୋଧ ରାଜ୍ୟରେ ଲଗାତାର ହେଉଥିବା ଅନ୍ୟାୟ ବିରୋଧରେ। ଅନ୍ନା ବିଶ୍ବବିଦ୍ୟାଳୟରେ ଯାହା କିଛି ଘଟିଛି, ତାହା କେବଳ ଗୋଟିଏ ସଙ୍କେତ।
ସୂଚନାଥାଉକି, ଅନ୍ନାମଲାଈ ଅଭିଯୋଗ କରିଛନ୍ତି ଘଟଣାରେ ଅଭିଯୁକ୍ତ ଡିଏମକେର ପଦାଧିକାରୀ। ଏମିତିକି ଅଭିଯୁକ୍ତର ଡିଏମକେ ନେତାଙ୍କ ସହ ଫଟୋ ମଧ୍ୟ ଦେଖାଇଛନ୍ତି ଅନ୍ନାମଲାଈ। ସେ କହିଛନ୍ତି ଅଭିଯୁକ୍ତ ଶାସକ ଦଳର ଛାତ୍ର ଶାଖାର ପଦାଧିକାରୀ। ଅଭିଯୁକ୍ତ ଶାସକ ଦଳ ସହ ଜଡ଼ିତ ଥିବାରୁ ଏହି ଅପରାଧ ଘଟାଇଛି। ଅଭିଯୁକ୍ତ ଡିମେକେ ସହ ଥିବାରୁ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିନଥିଲା।
କ’ଣ ଥିଲା ଘଟଣା ?
ଅନ୍ନା ବିଶ୍ବବିଦ୍ୟାଳୟରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ପୀଡ଼ିତା ଜଣକ ନିଜେ ପୋଲିସରେ ଅଭିଯୋଗ କରିଥିଲେ। ସୋସିଆଲ ମିଡିଆରେ କେସ୍ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଅଭିଯୁକ୍ତ ଜ୍ଞାନଶେଖରନଙ୍କୁ ଗିରଫ କରିଛି। ୩୭ ବର୍ଷୀୟ ଜ୍ଞାନଶେଖରନ ବିଶ୍ବବିଦ୍ୟାଳୟ ପରିସର ନିକଟରେ ବିରିୟାନୀ ବିକ୍ରି କରୁଥିଲା।
ପୋଲିସର କହିବା ଅନୁଯାୟୀ, ୩୭ ବର୍ଷୀୟ ଅଭିଯୁକ୍ତ ନାଁରେ ପ୍ରାୟ ୧୦ ଆପରାଧିକ ମାମଲା ରହିଛି । ଘଟଣାରେ ଜାତୀୟ ମହିଳା ଆୟୋଗ ନିନ୍ଦା କରିଥିଲେ। ଆୟୋଗ ତାମିଲନାଡୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶଙ୍କର ଜୀବାଲଙ୍କୁ ଚିଠି ଲେଖି ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ଧାରା ୭୧ ଲାଗୁ କରିବାକୁ କହିଥିଲେ।