ବଠିଣ୍ଡା ୨୭।୧୨: ପଞ୍ଜାବ ଲୁଧିଆନା ଜିଲ୍ଲାରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନାଳକୁ ଖସିପଡିଛି। ଏହି ଦୁର୍ଘଟଣାରେ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଦୁର୍ଘଟଣା କାଳରେ ବସ୍ରେ ୪୫ରୁ ଅଧିକ ଯାତ୍ରୀ ଥିଲେ। ବସ୍ ଜୀବନ ସିଂହବାଲା ଗାଁ ନିକଟରେ ଥିବା ଲାସରା ନାଳକୁ ଖସି ପଡିଛି। ପୋଲିସ ସୂଚନା ଅନୁସାରେ ବସଟି ତଲବଣ୍ଡି ସାବୋରୁ ବଠିଣ୍ଡା ଯାଉଥିଲା।
ଦୁର୍ଘଟଣା ସୂଚନା ପାଇ ସ୍ଥାନୀୟ ଲୋକେ ଦୌଡି ଆସିଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲିସ ସୂଚନା ଅନୁସାରେ ଦୁର୍ଘଟଣାରେ ୫ ମହିଳାଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି। ସୂଚନା ପାଇ ପୋଲିସ ଓ ପ୍ରଶାସନ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସାଙ୍ଗକୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଯାଇଛି। ଏନଡିଆରଏଫର ଏକ ଟିମ୍ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି।
ଦୁର୍ଘଟଣା ସୂଚନା ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକଟ କରିଥିବା ବେଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଦୁର୍ଘଟଣା ମୃତକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଞ୍ଚଳର ପାଗ ଖରାପ ଥିଲା ତଥା ଦୁର୍ଘଟଣାର ବାସ୍ତବିକ କାରଣ ଜଣାପଡି ନାହିଁ। ତେବେ ବଠିଣ୍ଡା ଉପାୟୁକ୍ତ କହିଛନ୍ତି ଯେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ଅନ୍ୟ ୩ ଜଣଙ୍କୁ ମୃତ ଘୋଷଣା କରାଯାଇଛି।