ଡିଜିସିଏର କଡ଼ା ଆକ୍ସନ, ଅକାସା ଏୟାରର ୨ ନିର୍ଦ୍ଦେଶକଙ୍କୁ କଲା ସସ୍‌ପେଣ୍ଡ

Published By : Prameya-News7 Bureau | December 27, 2024 IST

ନୂଆଦିଲ୍ଲୀ: ଅକାସା ଏୟାରର ଦୁଇ ଜଣ ନିର୍ଦ୍ଦେଶକଙ୍କ ବିରୋଧରେ କଠୋର ହୋଇଛି ଡିଜିସିଏ । ଅକାସାର ପରିଚାଳନା ନିର୍ଦ୍ଦେଶକ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କୁ ୬ ମାସ ଯାଏ ସସ୍‌ପେଣ୍ଡ କରିବା ପାଇଁ ବିମାନ ସୁରକ୍ଷା ନିୟାମକ ଡିଜିସିଏ ଶୁକ୍ରବାର ନିର୍ଦ୍ଦେଶ ଜାରି କରିଛି । ପାଇଲଟ୍‌ଙ୍କ ଟ୍ରେନିଂରେ ତ୍ରୁଟି ମାମଲାରେ ଏହି ଆକ୍ସନ ନିଆଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ନିଜ ଆଦେଶରେ କହିଛି, 'ରାକେଶ ଝୁନଝୁନୱାଲା ପରିବାରର ଅଂଶଧନ ଥିବା ଏୟାର ଲାଇନର ୨ ବରିଷ୍ଠ ଅଧିକାରୀ ବିମାନ ପରିଚାଳନା ଆଇନ ପାଳନ କରିବାରେ ବିଫଳ ହୋଇଛନ୍ତି ।'

ଅକାସା ଏୟାରର ପରିଚାଳନା ନିର୍ଦ୍ଦେଶକ ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକଙ୍କୁ ଅକ୍ଟୋବର ୧୫ ଏବଂ ୩୦ରେ ଡିଜିସିଏ କାରଣ ଦର୍ଶାଅ ନୋଟିସ ପଠାଇଥିଲା । ଅଧିକାରୀଙ୍କ ଜବାବ ସନ୍ତୋଷଜନକ ନଥିବା ଦର୍ଶାଇ ୬ ମାସ ଯାଏ ଦୁହିଁଙ୍କୁ ସସ୍‌ପେଣ୍ଡ କରିବା ପାଇଁ ଆଦେଶ ଦିଆଯାଇଛି । ଡିଜିସିଏ ନିଜ ଆଦେଶରେ ଉପଯୁକ୍ତ ପାର୍ଥୀଙ୍କୁ ନୂଆ ନିଯୁକ୍ତି ଦେବା ପାଇଁ ପରାମର୍ଶ ଦେଇଛି । 

ଅକାସା ଏୟାର ଏହି ଘଟଣାକ୍ରମ ଉପରେ ବୟାନ ଦେଇଛି । ଡିଜିସିଏ ସହ ମିଶି କାମ କରିବା ଜାରି ରଖିବ ଏବଂ ନିୟମର ସଠିକ୍ ଅନୁପାଳନ କରିବ । ଏୟାର ଲାଇନ ନିଜ ବୟାନରେ କହିଛି, 'ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ସୁରକ୍ଷାର ସର୍ବୋଚ୍ଚ ମାନକୁ ବଜାୟ ରଖିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବୁ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.