ନୂଆଦିଲ୍ଲୀ,୧୮/୧୧: ତାଇୱାନ ଭିତ୍ତିକ କଣ୍ଟ୍ରାକ୍ଟ ମାନୁଫାକ୍ଚର ପେଗାଟ୍ରନର ଏକମାତ୍ର ଆଇଫୋନ ପ୍ଲାଣ୍ଟର ଅଂଶଧନ କିଣିବ ଟାଟା ଗ୍ରୁପ୍ । କମ୍ପାନିର ତାମିଲନାଡ଼ୁରେ ଥିବା ପ୍ଲାଣ୍ଟର ୬୦ ପ୍ରତିଶତ ଅଂଶଧନ ଅର୍ଥାତ୍ ସିଂହଭାଗ କିଣିବାକୁ ଯୋଜନା କରୁଛି । ଏହା ଦ୍ବାରା ଭାରତରେ ଏକ ନୂଆ ଯୌଥ ଉଦ୍ୟୋଗ ହେବାକୁ ଯାଉଛି । ଯାହା ଆପଲକୁ ସ୍ମାର୍ଟଫୋନ ଯୋଗାଣ କ୍ଷେତ୍ରରେ ଟାଟାର ସ୍ଥିତିକୁ ଆହୁରି ମଜବୁତ କରିବ ।
ରୟଟର୍ସର ଏକ ରିପୋର୍ଟ ମୁତାବକ, ଏହି ଡିଲ୍ ନେଇ ଗତ ସପ୍ତାହରେ ଉଭୟ କମ୍ପାନି ଅଗ୍ରସର ହୋଇଛନ୍ତି । ଏହି ଆଲୋଚନା ପ୍ରାୟ ଚୂଡାନ୍ତ ସ୍ଥିତିରେ ରହିଛି । ଯୌଥ ଉଦ୍ୟୋଗରେ ଟାଟାର ୬୦% ଅଂଶଧନ ରହିବ । ସଂହଭାଗ ରହିଲେ କମ୍ପାନିର ଦୈନନ୍ଦିନ ପରିଚାଳନା ଦେଖିବ କମ୍ପାନି । ପେଗାଟ୍ରନ ନିକଟରେ ୪୦% ଅଂଶଧନ ରହିବାକୁ ଥିବା ବେଳେ ଏହା ଟେକ୍ନିକାଲ ସପୋର୍ଟ ଦେବ । ଡିଲର ଭାଲ୍ୟୁ ନେଇ ଏବେ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।
ଏହା ପୂର୍ବରୁ ମଧ୍ୟ ଏହି ଡିଲ୍ ନେଇ ରୟଟର୍ସର ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଭଳି ସ୍ଥିତିରେ ଟାଟା ଗ୍ରୁପ ଆଇଫୋନ ମାନୁଫାକଚରିଂ ଉପରେ ଏବେ ବିଶେଷ ଭାବେ ଧ୍ୟାନ ଦେଉଛି । ଯୌଥ ଉଦ୍ୟୋଗ ନେଇ ଟାଟା କମ୍ୟୁନିକେଶନ ଏବଂ ପେଗାଟ୍ରନ ଶୀଘ୍ର ପ୍ରତିସ୍ପର୍ଦ୍ଧା ଆୟୋଗଙ୍କ ମଞୁରୀ ନେବେ ବୋଲି କୁହାଯାଉଛି ।