କୋଲକାତା: ନିକଟରେ କ୍ରୁଡ ଓ ରିଫାଇଣ୍ଡ ତେଲ ଉପରେ ସରକାର ୨୦ ପ୍ରତିଶତ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ତେଣୁ ଆଗକୁ ଖାଇବା ତେଲର ଦାମ ବଢ଼ିପାରେ ବୋଲି କୁହାଯାଉଛି। ଏହାରି ଭିତରେ ଚା’ ଲଭରଙ୍କ ପାଇଁ ନିରାଶ କଲା ଭଳି ଖବର ସାମ୍ନାକୁ ଆସୁଛି। ମହଙ୍ଗା ହେବ ଚା’ କପ। କାରଣ ଏଥର ଚା’ ଅମଳରେ ବଡ଼ ହ୍ରାସ ଦେଖିବାକୁ ମିଳିଛି।
ଭାରତୀୟ ଚା’ ସଂଘର ସୂଚନା ଅନୁସାରେ, ୨୦୨୪ରେ ଚା’ ଅମଳ ହ୍ରାସ ପାଇଛି। ଜୁଲାଇ ମାସ ସୁଦ୍ଧା ଆସାମରେ ୧୧ ପ୍ରତିଶତ ଅମଳ ହ୍ରାସ ପାଇଥିବା ବେଳେ ପଶ୍ଚିମବଙ୍ଗରେ ୨୧ ପ୍ରତିଶତ ଅମଳ କମିଛି।
ସଂଘର ସୂଚନା ଅନୁସାରେ, ମେ ମାସ ପର୍ଯ୍ୟନ୍ତ କମ୍ ବର୍ଷା ସାଙ୍ଗକୁ ପ୍ରବଳ ଗରମ ହେଲା। ପୁଣି ଜୁନ ଓ ଜୁଲାଇ ପ୍ରବଳ ବର୍ଷା ଯୋଗୁ ଚା’ ଚାଷରେ ବାଧା ସୃଷ୍ଟି ହେଲା। ଖରା ବର୍ଷାର ଅସନ୍ତୁଳନ ପରେ ରୋଗପୋକ ବି ଦାଉ ସାଜିଲା ତେଣୁ ଏଥର ଆସାମ ଓ ପଶ୍ଚିମବଙ୍ଗରେ ଚା’ ଅମଳ କମିଗଲା ବୋଲି ସଂଘ କହିଛି।
ରୋଗପୋକ ଯୋଗୁ ଆସନ୍ତା ମାସରେ ବି ଚାଷ କ୍ଷତିଗ୍ରସ୍ତ ହେବ। ବେଙ୍ଗଲରେ ୧୦ ପ୍ରତିଶତ ଅମଳ କମିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଗଷ୍ଟରେ ଆସାମାରେ ୩ ପ୍ରତିଶତ ଚା’ ଅମଳ ହ୍ରାସ ପାଇଛି। ୨୦୨୪ରେ ୧୬୦ ରୁ ୨୭୦ ମିଲିଅନ କେଜି ଚା’ ଅମଳ କମିଯିବ ବୋଲି ଆକଳନ କରାଯାଇଛି।
ଭାରତୀୟ ଚା’ ଆସୋସିଏସନ କହିଛି ଯେ ଉତ୍ତର ଭାରତୀୟ ଚା’ ମୂଲ୍ୟ ୧୩ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଉତ୍ପାଦନ ଅଭାବକୁ ଦୂର କରିବା ପାଇଁ ଏହି ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ। ଉତ୍ତର ବେଙ୍ଗଲର ୨୧ ପ୍ରତିଶତ ଚା’ ଅମଳ କମିଥିଲେ ବି ମାତ୍ର ୭ ପ୍ରତିଶତ ଦାମ ବଢ଼ିଛି। ସେହିପରି ଆସାମରେ ୧୧ପ୍ରତିଶତ ଉତ୍ପାଦନ ହ୍ରାସ ସତ୍ତ୍ୱେ ୧୫ ପ୍ରତିଶତ ମୂଲ୍ୟ ବୃଦ୍ଧି ପାଇଛି।
ଏଥିସହିତ ଚା’ ଚାଷ ପାଇଁ ସବ୍ସିଡିରେ ବିଳମ୍ବ ହେବା ଓ ମଜୁରୀ ବଢ଼ିବା ଆଦି କାରଣରୁ ଫସଲ ପ୍ରଭାବିତ ହୋଇଛି। ଆର୍ଥିକ ଚାପ ବଢ଼ୁଥିବାରୁ ଆଗକୁ ଚା’ ଉଦ୍ୟୋଗ ଭବିଷ୍ୟତା ପାଇଁ ଏକ ଆହ୍ୱାନ ସୃଷ୍ଟି ହୋଇଛି। ତେଣୁ ସରକାର ଏ ଦିଗରେ ସମର୍ଥନ କରିବା ଉଚିତ ବୋଲି ଭାରତୀୟ ଚା’ ସଂଘର ସଭାପତି ସନ୍ଦୀପ ସିଙ୍ଘାନିଆ କହିଛନ୍ତି।