ଦାରିଙ୍ଗବାଡିରେ ବିବାଦୀୟ ଜମିକୁ ନେଇ ଉତ୍ତେଜନା: ପୋଲିସ ଓ ଜନତାଙ୍କ ମଧ୍ୟରେ ଠେଲାପେଲା

Published By : Prameya-News7 Bureau | November 15, 2024 IST

News7

ଦାରିଙ୍ଗବାଡି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଚାରିଛକ ଠାରେ ଥିବା ଏକ ବିବାଦୀୟ ଜମିକୁ ନେଇ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଶତାଧିକ ଲୋକେ ପଦଯାତ୍ରା ଆସି ଚାରିଛକରେ ଥିବା ଜମିରୁ ତାର ବାଡ଼ ହଟାଇଛନ୍ତି। ଏକ ମଣ୍ତପ ସ୍ଥଳୀକୁ ଭାଗ କରୁଥିବା ବେଳେ ଦାରିଙ୍ଗବାଡ଼ି ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। 

ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଠେଲା ପେଲା ହୋଇଥିଲେ। ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଓ ବିଡ଼ିଓ ପ୍ରୀତିରଞ୍ଜନ ରଥ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ତେବେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ କହିବା ଅନୁଯାୟୀ ଚାରିଛକରେ ଥିବା ଜମି ଉପରେ ଛୋଟ ଛୋଟ ଉଠାଦୋକାନଙ୍କୁ ସେଠି ହଟାଇ କିଛି ମୁଷ୍ଟିମେୟ ଲୋକ ପ୍ରଶାସନ ସହଯୋଗରେ ତାର ବାଡ଼ ପକାଇଥିଲେ। ଯାହାକି ବେଆଇନ ଭାବେ ଏଭଳି କରାଯାଇଥିବା ବେଳେ ଗରିବ ଆଦିବାସୀଙ୍କ ଅଭିଯୋଗ ଶୁଣୁନି।

ଏହା ସହ ଦୁର୍ଗାପୂଜା ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଭିଙ୍କୁ ନେଇ ଶାନ୍ତି ବୈଠକ କରାଯାଇଥିଲା। ଆଉ ଚାରିଛକରେ ଥିବା ଜମି ଉପରେ ଶାନ୍ତିଶୃଙ୍ଖଳା ରକ୍ଷା ସହ ପୂଜା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା। 

ହେଲେ ଦୁର୍ଗାପୂଜା ନାଁରେ ଲୋକଙ୍କ ଦୋକାନ ଭାଙ୍ଗିବା ସହ ବେଆଇନ ଭାବେ ଗୋଟିଏ ଗୋଷ୍ଠୀଙ୍କୁ ତାର ବାଡ଼ ପକାଇବାକୁ ଅନୁମତି କାହିଁକି ଦିଆଗଲା ବୋଲି ଲୋକେ ପ୍ରଶ୍ନ କରିଥିଲେ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଜମି ବିବାଦକୁ ନେଇ ଆଲୋଚନା କରାଯିବ ବୋଲି କୁହାଯାଇଛି। ସୂଚନା ଥାଉକି ଦାରିଙ୍ଗବାଡ଼ି ଚାରିଛକ ନିକଟରେ ଥିବା ଏହି ଜମିକୁ ନେଇ ଦୀର୍ଘ ୧୪ ବର୍ଷ ହେଲା ବିବାଦ ଚାଲି ଆସିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.