ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପିଲିଭିତ୍ରେ ବଡ଼ ଧରଣ ଏନକାଉଣ୍ଟର ହୋଇଛି । ଖଲିସ୍ତାନୀ କମାଣ୍ଡୋ ଫୋର୍ସର ୩ ଆତଙ୍କୀ ନିହତ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରୁ ଦୁଇଟି ଏକେ-47 ବନ୍ଧୁକ ଜବତ କରିଛି ପୋଲିସ । ଏନକାଉଣ୍ଟର ହୋଇଥିବା ୩ ଖଲିସ୍ତାନୀ ଅତଙ୍କୀ ହେଉଛନ୍ତି ଗୁରବିନ୍ଦର ସିଂହ, ବିରେନ୍ଦ୍ର ସିଂହ ଏବଂ ଯଶନପ୍ରୀତ ସିଂହ । ଏମାନେ ପଞ୍ଜାବର ଗୁରଦାସପୁର ପୋଲିସ ଚୌକିର ଉପରେ ଗ୍ରେନେଡ ଏବଂ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ ।
ସୂଚନା ଅନୁଯାୟୀ, ପଞ୍ଜାବ ଏବଂ ୟୁପି ପୋଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର ହୋଇଛି । ପିଲିଭିତ୍ ଅଞ୍ଚଳରେ ଖଲିସ୍ତାନୀ ଆତଙ୍କୀ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୋମବାର ସକାଳୁ ଦୁଇ ରାଜ୍ୟର ପୋଲିସ ଜଏଣ୍ଟ ଅପରେସନ କରିଥିଲେ । ପୂରା ଅଞ୍ଚଳକୁ ଘେରବାନ୍ଦୀ କରି ପୋଲିସ ସର୍ଚ୍ଚ ଅପରେସନ କରିଥିଲା । ଶେଷରେ ଗୁରୁଦାସପୁର ଥାନା ଉପରକୁ ବୋମା ମାଡ଼ କରିଥିବା ଖଲିସ୍ତାନୀ କମାଣ୍ଡୋ ଫୋର୍ସ ତିନି ଆତଙ୍କବାଦୀଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏମାନେ ବିଦେଶୀ ଲିଙ୍କ୍ରେ ଥିଲେ ।