୨୦୨୦ ଦିଲ୍ଲୀ ଦଙ୍ଗାର ୧୦ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କଲେ କୋର୍ଟ

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ ୧୩।୯:   ଦିଲ୍ଲୀ କଡକଡଡୁମା କୋର୍ଟ ୨୦୨୦ ମସିହାର ଗୋକୁଲପୁରୀ ଦଙ୍ଗା ମାମଲାରେ ୧୦ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଇଛନ୍ତି। ଆଡିସନାଲ ସେସନ ଜଜ୍ ପୁଲସ୍ତ୍ୟ ପ୍ରମାଚଲା ଏହି ରାୟ ଦେଇଛନ୍ତି। ମୁକ୍ତ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଶାହନୱାଜ ଓରଫ ସାନୁ, ମହମ୍ମଦ ସୋୟେବ ଓରଫ ଛୁଟୱା, ଶାହରୁଖ ପଠାନ, ରାଶିଦ ଓରଫ ରାଜା, ଆଜାଦ, ଅସରଫ ଅଲ୍ଲୀ ଓ ପରଭେଜ ଆଦି ସାମିଲ ଅଛନ୍ତି। ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟଜନକ ତାହା ହେଉଛି ସର୍ବସାଧାରଣରେ ପୋଲିସ ଉପରକୁ ପିସ୍ତଲ ଉଠାଇଥିବା ଶାହରୁଖ ପଠାନକୁ ବି କୋର୍ଟ ସମ୍ମାନର ସହ ମୁକ୍ତ କରିଦେଇଛନ୍ତି। 

ଦିଲ୍ଲୀ ଦଙ୍ଗା ସମୟରେ ଶାହରୁଖ ପଠାନର ଫଟୋ ଦେଶରେ ଗଣମାଧ୍ୟମ ଶିରୋନାମା ପାଲଟିଥିଲା। ତେବେ କୋର୍ଟ ପ୍ରମାଣ ଅଭାବ, ସାକ୍ଷ ଓଲଟିଯିବା ଯୋଗୁ କୋର୍ଟ ସେମାନଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି। ବିଚାରପତି ଜଷ୍ଟିସ୍ ପ୍ରମାଚଲା ଆଦେଶରେ କହିଛନ୍ତି ଯେ ‘ଲାଗୁଛି ଏହି ମାମଲାରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଯୁକ୍ତିଯୁକ୍ତ ସନ୍ଦେହ ବାହାରେ ପ୍ରମାଣିତ ହୋଇ ନାହିଁ। ଏଣୁ ଅଭିଯୁକ୍ତମାନଙ୍କୁ ସନ୍ଦେହର ଲାଭ ଦେଇ ମୁକ୍ତ କରାଯାଉଛି’। 

ଏହି ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ଆଇପିସିର ୧୪୭,୧୪୮, ୧୪୯, ୪୩୬,୪୫୪,୩୯୨,୪୫୨,୧୮୮, ୧୫୩-ଏ, ୪୨୭ ଓ ୫୦୬ ଧାରାରେ ମକଦ୍ଦମା ରୁଜୁ କରିଥିଲା। ଏହି ମାମଲାରେ ସପ୍ଲିମିଣ୍ଟାରୀ ଚାର୍ଜସିଟ୍ ୯ ଜାନୁୟାରୀ ୨୦୨୩ରେ ଦାଖଲ ହୋଇଥିଲା। ଏଥିରେ ଅଭିଯୋଗ, କାଗଜପତ୍ର ଓ ବୟାନ ବି ଥିଲା। ଏହି ଦଙ୍ଗାରେ ୧୫ଶହରୁ ଅଧିକ ଲୋକେ ସାମିଲ ଥିଲେ। ମାତ୍ର କିଛି ଲୋକଙ୍କୁ ଧରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଏଣୁ କୋର୍ଟ ଅଭିଯୁକ୍ତମାନଙ୍କୁ ସନ୍ଦେହର ଲାଭ ଦେଇ ମୁକ୍ତ କରିଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.