ଭୁବନେଶ୍ବର ୪।୨: ଦୁର୍ଘଟଣା ଘଟାଇଥିବା ‘ମୋ ବସ୍’ ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଅଭିଯୋଗକାରିଣୀ ସାବିତ୍ରୀ ଜୁଆଡ଼ିଙ୍କ ଏତଲା ଆଧାରରେ ନନ୍ଦନକାନନ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ମୋ ବସ୍ ଚାଳକ ନୃସିଂହ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।
'ମୋ ବସ୍' ଧକ୍କାରେ ନାବାଳିକାଙ୍କ ମୃତ୍ୟୁ : କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ଅଭିଯୋଗକାରିଣୀଙ୍କ ୧୨ବର୍ଷ ବୟସ୍କ ସାନ ଝିଅ ନନ୍ଦନକାନନ ଥାନା ଅନ୍ତର୍ଗତ ସଞ୍ଜୟ ଆଚାର୍ଯ୍ୟ ଫାର୍ମ ହାଉସରୁ ବାହାରି ନିକଟସ୍ଥ ଦୋକାନକୁ ଚାଲିଚାଲି ଯାଉଥିଲେ । ସେହି ସମୟରେ ଅଭିଯୁକ୍ତ ଡ୍ରାଇଭର ଜଣକ ମୋ ବସ୍କୁ ବେପରୁଆ ତଥା ଦ୍ରୁତ ଗତିରେ ଚଲାଇ ଆଣିବା ସହିତ ତାଙ୍କୁ ଡ୍ରିମ୍ସିଟି ସମ୍ମୁଖରେ ପଛ ପାଖରୁ ଖୁବ୍ ଜୋର୍ରେ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣା ଫଳରେ ଝିଅର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ପରିବାର ସଦସ୍ୟ ତଥା ସ୍ଥାନୀୟ ଲୋକ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଅଭିଯୋଗକାରିଣୀ ସମ୍ପୃକ୍ତ ‘ମୋ ବସ୍’ ଚାଳକଙ୍କ ନାମରେ ଅଭିଯୋଗ କରିଥିଲେ ।
ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ମୋ ବସ, ନାବାଳିକାକୁ ପଛ ପଟୁ ଧକ୍କା ଦେଲା
ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ମୋ ବସ୍ ଚାଳକ ନୃସିଂହ ସେଠୀଙ୍କୁ ତୁରନ୍ତ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।
You Can Read: