ଭୁବନେଶ୍ବର ୬।୬: ‘ମୁଁ ସିଏମ୍ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି' । ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ ଦେଇ ୨ ଲକ୍ଷ ଟଙ୍କା ଲୁଟି ନେଇଗଲେ । ଦୁଇ ଲକ୍ଷ ଟଙ୍କା ନେବା ପରେ ମଧ୍ୟ ଡରାଇ ଧମକାଇ ଆହୁରି ୫ ଲକ୍ଷ ଟଙ୍କା ମାଗୁଛନ୍ତି । ଏ ନେଇ ଦାଦା ବଟିର ଶିକାର ହୋଇଥିବା ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ପ୍ରତାପ କୁମାର ହରିପାଲ ଅନୁଗୁଳ ରାସ୍ତା ଓ କୋଠାବାଡ଼ି ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାବେ କାମ କରୁଛନ୍ତି । ପ୍ରାୟ ମାସେ ପୂର୍ବେ ଜାନକୀବଲ୍ଲଭ ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କୁ କଲ୍ କରିଥିଲା । ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏହାସହ ମାଲକାନଗିରି ବଦଳି କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲା । ବଦଳି ରୋକିବାକୁ ହେଲେ ୨ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କଲ୍ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବାରୁ ପ୍ରତାପ ଭୟରେ ଆଉ କୌଣସି ଉପାୟ ନପାଇ ତାଙ୍କ କଥାରେ ରାଜି ହୋଇଯାଇଥିଲେ । ଜାନକୀ କହିବା ମୁତାବକ ପ୍ରତାପ ତାଙ୍କ ଭୀମଟାଙ୍ଗି ସ୍ଥିତ ଘରକୁ ଆସି ୨ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଏହାପରେ ମଧ୍ୟ ଜାନକୀଙ୍କ ଆତଙ୍କ ଥମି ନଥିଲା । ସେ ପୁଣି ଥରେ ଫୋନ୍ କରି ଆହୁରି ୫ ଲକ୍ଷ ଟଙ୍କା ମାଗିଥିଲେ । ପ୍ରତାପ ଅରାଜି ହେବାରୁ ଜାନକୀ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଶେଷରେ ପ୍ରତାପ କୌଣସି ଉପାୟ ନପାଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ମଧ୍ୟ ତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
You Can Read: