ଇଂଲଣ୍ଡଠୁ ୨୦୨୨ର ପ୍ରତିଶୋଧ ନେଲା ଭାରତ, ଫାଇନାଲରେ ଦ. ଆଫ୍ରିକା ସହ ଟକ୍କର

Published By : Prameya-News7 Bureau | June 28, 2024 IST

aajtak

ଗୁଏନା: ୨୦୨୨ ଟି-୨୦ ବିଶ୍ୱକପର ମଧୁର ପ୍ରତିଶୋଧ ନେଲା ଭାରତ । ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପ୍ ୨୦୨୪ର ଦ୍ୱିତୀୟ ସେମି ଫାଇନାଲରେ ଇଂଲଣ୍ଡକୁ ୬୮ ରନରେ  ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ । ଜୁନ ୨୯ ତାରିଖ ଶନିବାର ଫାଇନାଲ୍ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ପରେ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ବଳରେ ଭାରତ ଇଂରେଜ ଦଳକୁ ଧୂଳି ଚଟାଇଛି । ତୃତୀୟ ଥର ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି ରୋହିତ ବାହିନୀ । ଏହା ସହିତ ୧୦ ବର୍ଷ ପରେ ଭାରତ ଫାଇନାଲରେ ପହଞ୍ଚିଛି । ଦଳ ଶେଷ ଥର ୨୦୧୪ରେ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଶ୍ରୀଲଙ୍କା ହାତରୁ ପରାଜିତ ହୋଇଥିଲା ।  

ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ସେମିରେ ଭାରତ ଦ୍ୱାରା ଧାର୍ଯ୍ୟ ୧୭୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୧୬.୪ ଓଭରରେ ୧୦୩ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ହାରି ବ୍ରୁକ ସର୍ବାଧିକ ୨୫ ରନ କରିଥିବା ବେଳେ ଅଧିନାୟକ ଜୋସ ବଟଲର ୨୩ ଓ ଜୋଫ୍ରା ଆର୍ଚର ୨୧ ରନ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଅକ୍ଷର ପଟେଲ୍ ଘାତକ ବୋଲିଂ କରି ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୭ ରନ ଓ ସୂର୍ଯ୍ୟକୁମାର ଯାଦବ ୪୭ ରନର ଦମଦାର ଇନିଂସ ବଳରେ ୭ ୱିକେଟ୍ ହରାଇ ୧୭୧ ରନ କରିଥିଲା । 

Also read: ଆଫ୍ରିକାଠୁ ହାରିବା ଭାଙ୍ଗିଲା ଆଫଗାନ କ୍ରିକେଟରଙ୍କ ହୃଦୟ, କାନ୍ଦିଲେ କ୍ୟାପଟେନ୍‌

୧୭୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଇଂଲଣ୍ଡ ଭଲ ଆରମ୍ଭ କରିଥିଲା । ହେଲେ ୨୬ ରନ ସ୍କୋରରେ ଦଳକୁ ବହୁତ ବଡ ଝଟକା ଲାଗିଥିଲା । କ୍ରିଜରେ ଜମି ଆସୁଥିବା ଅଧିନାୟକ ଜୋସ୍ ବଟଲର(୨୩)ଙ୍କୁ ଆଉଟ୍ କରି ଅକ୍ଷର ପଟେଲ୍ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହା ପରେ ଫିଲିପ ସଲ୍ଟ(୫)ଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଯଶପ୍ରୀତ ବୁମରା । ଏହା ପରେ ଅକ୍ଷର ଜୋନି ବେୟାରଷ୍ଟୋଙ୍କୁ ଖାତା ଖୋଲିବାକୁ ଦେଇ ନ ଥିଲେ । ପୁଣି ମୋଇନ ଅଲ୍ଲୀ(୮)ଙ୍କ ଶିକାର କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ । ଇଂଲଣ୍ଡ ୪୯ ରନରେ ୫ ୱିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । 

ଅକ୍ଷର ପଟେଲ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ କୁଲଦୀପ ଯାଦବ । ଏହି ଚାଇନାମ୍ୟାନ ବୋଲର ନିଜର ସ୍ପିନ ଜାଲରେ ସାମ କରନ(୨)ଙ୍କ ଶିକାର କରିଥିଲେ । କ୍ରିଜରେ ଜମି ଆସିଥିବା ହାରି ବ୍ରୁକଙ୍କୁ କ୍ଲିନ ବୋଲ୍ଡ କରି ଭାରତକୁ ବହୁତ ବଡ ସଫଳତା ଦେଇଥିଲେ କୁଲଦୀପ । ପୁଣି କ୍ରିସ ଜୋର୍ଡାନ(୧)ଙ୍କୁ ପାଭିଲିୟନ ପଠାଇଥିଲେ । ଆଦିଲ ରଶିଦ(୨) ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱାରା ରନ ଆଉଟ୍ ହୋଇଥିଲେ । ଶେଷ ଆଡକୁ ଜୋଫ୍ରା ଆର୍ଚର ଦ୍ରୁତ ବ୍ୟାଟିଂ କରିଥିଲେ । ଜୋଫ୍ରା(୨୧)ଙ୍କୁ ଏଲବିଡବ୍ଲ୍ୟୁ କରି ଭାରତକୁ ବିଜୟୀ କରାଇଥିଲେ ଯଶପ୍ରୀତ ବୁମରା । ଏଥିସହ ଇଂଲଣ୍ଡ ୧୬.୪ ଓଭରରେ ୧୦୩ ରନରେ ଅଲଆଉଟ୍ ହୋଇଛି । ଆଉ ଭାରତ ମ୍ୟାଚକୁ ୬୮ ରନରେ ଜିତି ଫାଇନାଲରେ ପ୍ରବେଶ କରିଛି । 

ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୪ ଓଭରରେ ମାତ୍ର ୧୯ ରନ ଦେଇ ୩ଟି ସଫଳତା  ହାସଲ କରିଛନ୍ତି । ଅକ୍ଷର ପଟେଲ୍ ମଧ୍ୟ ଘାତକ ବୋଲିଂ କରି ୪ ଓଭରରେ ୨୩ ଦେଇ ୪ ୱିକେଟ୍ ଅକ୍ତିକାର କରିଥିଲେ । ଯଶପ୍ରୀତ ବୁମରା ୨.୪ ଓଭରରେ ୨ଟି ୱିକେଟ ନେଇଥିଲେ । 



  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.