ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଅପେକ୍ଷା ଶେଷ ହୋଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍ । ଅନେକ ଷ୍ଟାର୍ ଖେଳାଳିଙ୍କୁ ଆଗାମୀ ଟୁର୍ଣ୍ଣମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ଅନ୍ୟପଟେ କିଛି ଖେଳାଳିଙ୍କ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳିବା ସ୍ୱପ୍ନ ଭାଙ୍ଗି ଯାଇଛି । ଟିମ୍ ଇଣ୍ଡିଆରେ ସ୍ଥାନ ପାଇ ନଥିବା ଖେଳାଳିଙ୍କ ଉପରେ ଆସନ୍ତୁ ନଜର ପକାଇବା ।
ସଞ୍ଜୁ ସାମସନ
ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ୱାର୍ଲଡ୍ କପ୍ ୨୦୨୩ ଏବଂ ଟି-୨୦ ବିଶ୍ୱକପରୁ ବାହାରେ ରହିଥିବା ୩୦ ବର୍ଷୀୟ ଖେଳାଳିଙ୍କୁ ଚାମ୍ପିଅନ ଟ୍ରଫି ୨୦୨୫ରେ ବି ସୁଯୋଗ ମିଳି ପାରି ନାହିଁ, ଯାହା ଖେଳ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂର୍ଯ୍ୟକୁମାର ଯାଦବ
ଭାରତୀୟ ଟିମ୍ ପାଇଁ ଟି-୨୦ ବିଶ୍ୱକପ୍ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିବା ତଥା ଟି-୨୦ରେ ଭାରତୀୟ ଟିମ୍ର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ବି ଟିମ୍ରେ ସ୍ଥାନ ମିଳିପାରି ନାହିଁ । ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ହୋଇଥିବାରୁ ସୂର୍ଯ୍ୟଙ୍କୁ ବାଦ୍ ଦିଆଯାଇ ଥାଇପାରେ ।
ମହମ୍ମଦ ସିରାଜ
ନିୟମିତ ଭାବେ ଟିମ୍ ଇଣ୍ଡିଆର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ବି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ସୁଯୋଗ ମିଳି ନାହିଁ । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସିରାଜଙ୍କ ପ୍ରଦର୍ଶନ ଭଲ ନଥିଲା । ଏହି କାରଣରୁ ବୋଧହୁଏ ତାଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯାଇନାହିଁ । ଭାରତୀୟ ଟିମ୍ର ପେସ୍ ଆଟାକ୍ରେ ମହମ୍ମଦ ଶାମିଙ୍କ କମ୍ବ୍ୟାକ୍ ହୋଇଛି ।
ନୀତୀଶ କୁମାର ରେଡ୍ଡି
ଟିମ୍ ଇଣ୍ଡିଆର ଯୁବ ପ୍ରତିଭାବାନ୍ ଖେଳାଳି ନୀତୀଶ କୁମାର ରେଡ୍ଡିଙ୍କୁ ବି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ସାମିଲ କରାଯାଇ ନାହିଁ । ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପାଇଁ ନୀତୀଶ ରେଡ୍ଡିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଯୁବ ଖେଳାଳିଙ୍କୁ ନିରାଶ ହେବାକୁ ପଡ଼ିଛି ।
କରୁଣ ନାୟର
ଘରୋଇ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରୁଥିବା କରୁଣ ନାୟରଙ୍କୁ ପୁଣି ଅଣଦେଖା କରାଯାଇଛି । ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍ରେ ୭୫୨ ରନ୍ କରିଥିବା କରୁଣ ନାୟରଙ୍କ ଟିମ୍ ଇଣ୍ଡିଆରେ କମ୍ବ୍ୟାକ୍ ହୋଇପାରେ ବୋଲି ଚର୍ଚ୍ଚା ହେଇଥିଲେ । ଟିମ୍ ଇଣ୍ଡିଆ ପୂର୍ବତନ ଖେଳାଳି ମଧ୍ୟ କରୁଣ ନାୟରଙ୍କ ପ୍ରତି ଚୟନକର୍ତ୍ତା ଦୃଷ୍ଟି ଦେବା ଦରକାର ବୋଲି କହିଥିଲେ ।
Also read: ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆର ଯୋଦ୍ଧା ଚୟନ, ରୋହିତ କ୍ୟାପଟେନ୍, ଗିଲ୍ଙ୍କୁ ବଡ଼ ଦାୟିତ୍ୱ