ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରଶଂସକ ବର୍ତ୍ତମାନ ଘରୋଇ କ୍ରିକେଟ୍ ଦୁଲୀପ ଟ୍ରଫିର ମଜା ଉଠାଉଛନ୍ତି। ଆଉ ଲମ୍ବା ବିରତି ପରେ ସେପ୍ଟେମ୍ବର ୧୯ରୁ ଭାରତୀୟ କ୍ରିକେଟ୍ ଦଳ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ତେବେ ଏହି ସିରିଜ୍ରେ କିଛି ବଡ଼ ଖେଳାଳି ବାଦ୍ ପଡ଼ି ପାରନ୍ତି। ତେବେ ଆସନ୍ତୁ ଜାଣିବା ସେହି ଖେଳାଳିଙ୍କ ବିଷୟରେ ଯିଏ ଆଗାମୀ ସିରିଜ୍ରୁ ବଞ୍ଚିତ ହୋଇ ପାରନ୍ତି।
ଶ୍ରେୟସ ଆୟର
ବ୍ୟାଟିଂରେ ଜଣେ ଗୁରୁତ୍ଵପୂର୍ଣ୍ଣ ଖେଳାଳିଙ୍କୁ ଏହି ସିରିଜ୍ ପାଇଁ ସ୍ଥାନ ମିଳି ନ ପାରେ, ସେ ହେଉଛନ୍ତି ଶ୍ରେୟସ ଆୟର। ତାଙ୍କର ନିକଟ ପ୍ରଦର୍ଶନ ନିରାଶଜନକ ରହିଛି। ତାଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ ରହିଛି। ଦୁଲୀପ ଟ୍ରଫିରେ ମଧ୍ୟ ତାଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହିନାହିଁ। ଏମିତିରେ ଟେଷ୍ଟ ଦଳରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା କେଏଲ ରାହୁଲଙ୍କୁ ଆୟରଙ୍କ ସ୍ଥାନରେ ସୁଯୋଗ ମିଳିପାରେ।
ଯଶପ୍ରୀତ ବୁମରା
ଭାରତୀୟ ଦଳର ସବୁଠୁ ବଡ଼ ବୋଲର ଯଶପ୍ରୀତ ବୁମରା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଖେଳି ନ ପାରନ୍ତି। ନିକଟରେ ସଂପନ୍ନ ଟି-୨୦ ବିଶ୍ଵକପ୍ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବୁମରା ବର୍ତ୍ତମାନ ବିଶ୍ରାମରେ ଅଛନ୍ତି। ଶ୍ରୀଲଙ୍କା ଗସ୍ତରେ ମଧ୍ୟ ସେ ଦଳରେ ସାମିଲ ନ ଥିଲେ। ଭାରତର ଆଗାମୀ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ବର୍ଡର-ଗାଭାସ୍କର ଟ୍ରଫିର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ବୁମରାଙ୍କୁ ବିଶ୍ରାମ ଦିଆଯାଉଥିବା କୁହାଯାଉଛି।
ମହମ୍ମଦ ଶାମି
ଦ୍ଵିତୀୟ ବଡ଼ ବୋଲର ମହମ୍ମଦ ଶାମିଙ୍କ ମଧ୍ୟ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ରେ ଖେଳିବା ସଂଶୟ ଦେଖା ଦେଇଛି। ଶାମି ସଂପ୍ରତି ଆହତଜନିତ ସମସ୍ୟାରୁ ସୁସ୍ଥ ହେଉଛନ୍ତି। ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରଠୁ ସେ ଭାରତୀୟ ଦଳରୁ ବାହାରେ ଅଛନ୍ତି। ତେଣୁ ତାଙ୍କର ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ସୁଦ୍ଧା ଦଳକୁ ପ୍ରତ୍ୟାବର୍ତ୍ତନ କରି ପାରନ୍ତି। ମାତ୍ର ବର୍ତ୍ତମାନ ତାଙ୍କର ବାଂଲାଦେଶ ବିପକ୍ଷ ସିରିଜ୍ ଖେଳିବା ମୁସ୍କିଲ। ତାଙ୍କର ଫିଟନେସ୍କୁ ନେଇ ବଡ଼ ପ୍ରଶ୍ନ ଲାଗି ରହିଛି।