ଭୁବନେଶ୍ୱର: ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ସିଧାସଳଖ ହତ୍ୟା। ଏହା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। FM ଛାତ୍ରୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ରାହୁଲ। ସେ କହିଛନ୍ତି ଯେ ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ। କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା। ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଠେଲି ଚାଲିଯାଇଥିଲେ।
ସେ ଆହୁରି କହିଛନ୍ତି ‘ପ୍ରତ୍ୟେକ ଥର ପରି, ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଥିଲା। ନିର୍ଦ୍ଦୋଷ ଝିଅକୁ ନିଜକୁ ଜାଳି ଦେବାକୁ ବାଧ୍ୟ କରିଥିଲା। ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ଏକ ସଂଗଠିତ ହତ୍ୟା। ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର - ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ମରୁଛନ୍ତି। ଆଉ ଆପଣ? ଆପଣ ଚୁପ୍ ବସିଛନ୍ତି। ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଏହା ଉତ୍ତର ଚାହେଁ। ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି।‘
୧୭ରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ରାଜନୈତିକ ଦଳ। ବାଲେଶ୍ୱର ଘଟଣାକୁ ବିରୋଧ କରି କଂଗ୍ରେସ ଏହି ଡାକରା ଦେଇଛି। କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ବନ୍ଦ ଡାକରାରେ ସାମିଲ ହେବେ। ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ଡାକରା ଦିଆଯାଇଛି। ଏହି ସମୟରେ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିବ। ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।