ଡେଲାଙ୍ଗରେ ପୁଣି କୁକୁଡ଼ା ମଡକ, ଫାର୍ମରେ ମରି ପଡୁଛନ୍ତି ହଜାର ହଜାର କୁକୁଡା

Published By : Prameya-News7 Bureau | July 09, 2025 IST

ପିପିଲି ୯।୭: ଡେଲାଙ୍ଗରେ ପୁଣି କୁକୁଡ଼ା ମଡକ । ଫାର୍ମରେ ମରି ପଡୁଛନ୍ତି ହଜାର ହଜାର କୁକୁଡା । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ । ତେବେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରି ପଡୁଥିବାରୁ ସ୍ଥାନୀୟ ଅଞ୍ଚଳରେ ବାର୍ଡ଼ ଫ୍ଲୁ ସନ୍ଦେହ କରାଯାଉଛି । କିଛି ଦିନ ହେବ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅର୍ନ୍ତଗତ ବେଗୁନିଆପଡା, ତରଡା, ଶିଶୁଆପଡା, ସିଂହବ୍ରହ୍ମପୁର ଓ ବଡଆଙ୍କୁଲା ଅଞ୍ଚଳରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି । ଅଜଣା ରୋଗ ପାଇଁ ହଜାର ହଜାର କୁକୁଡ଼ା ମରି ପଡୁଥିବା ଅଭିଯୋଗ ହୋଇଛି ।

ତେବେ କୁକୁଡ଼ା ମଡ଼କ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଠିକ୍ ବର୍ଷକ ତଳେ ଡେଲାଙ୍ଗ ଅଞ୍ଚଳରେ ବାର୍ଡ ଫ୍ଲୁ ରୋଗରେ କୁକୁଡ଼ା ମଡ଼କ ହୋଇଥିଲା । ଚଳିତ ବର୍ଷ ପୁଣି ଥରେ ଏତେ ସଂଖ୍ୟକ କୁକୁଡ଼ା ମରିବା ପଛରେ ବାର୍ଡ ଫ୍ଲୁ ଭଳି ରୋଗ ବ୍ୟାପିଥିବା ସନ୍ଦେହ କରାଯାଉଛି । 

ତେବେ ପ୍ରାଣୀ ବିଭାଗ ପକ୍ଷରୁ କୁକୁଡାର ସ୍ୱାବ୍ ନମୁନା ପରୀକ୍ଷା କରିବା ପରେ କୁକୁଡା ମରିବା ପଛର କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ସୋମବାର ଖବର ପାଇ ଡେଲାଙ୍ଗ ବ୍ଲକ୍ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀଙ୍କ ସମେତ ଏକ ଟିମ୍ ବଡଆଙ୍କୁଲା ଗ୍ରାମର ପ୍ରଶାନ୍ତ ପ୍ରଧାନଙ୍କ ଫାର୍ମ ହାଉସରେ ପହଞ୍ଚି କୁକୁଡା ମରିବାର କାରଣ ବୁଝିବା ସହିତ ମଲା କୁକୁଡା ଗୁଡିକୁ ଗାତ ଖୋଳି ପୋତିବା ସହ ଫାର୍ମ ଗୁଡିକ ବିଶୋଧନ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଚାଷୀଟିଏ ଧାର କରଜ କରି କୁକୁଡା ଚାଷ କରିଥିବା ବେଳେ ଏତେ ସଂଖ୍ୟକ କୁକୁଡା ମରିବା ପରେ ଚାଷୀ ପୁରା ଭାଙ୍ଗି ପଡିଛି । ସରକାର କ୍ଷତିଗ୍ରସ୍ତ କୁକୁଡା ଚାଷୀ ମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ଜୋର ହୋଇଛି ।

You Can Read:

ଅନ୍ଧାର ରାତିରେ ମନ୍ଦିର ଭିତରେ ପଶିଲେ, ହୁଣ୍ଡି ଟେକିନେଇ ଖସିଗଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.