ନୂଆଦିଲ୍ଲୀ ୧୫।୧୧: ଜାତୀୟ ରାଜଧାନୀରେ ବଢୁଥିବା ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଯାତାୟାତ ଜାମ ଓ ଏଥିରୁ ହେଉଥିବା ପ୍ରଦୂଷଣକୁ କମ କରିବା ଲାଗି ସରକାରୀ କାର୍ଯ୍ୟାଳୟଙ୍କ ନୂଆ କାର୍ଯ୍ୟ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ନୂଆ ବ୍ୟବସ୍ଥା ଅନୁସାରେ ଦିଲ୍ଲୀ ନଗରନିଗମ ସକାଳ ସାଢେ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ, କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ପୂର୍ବାହ୍ନ ୯ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଓ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ସକାଳ ୧୦ଟାରୁ ସନ୍ଧ୍ୟା ସାଢେ ୬ ପର୍ଯ୍ୟନ୍ତ ଚାଲିବ।
ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣ ସ୍ତର ବିପଦଜନକ ସୀମାକୁ ପହଞ୍ଚି ଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୁରୁବାର ଜିଆରଏପି ତୃତୀୟ ପର୍ଯ୍ୟାୟ ଅନୁସାରେ ଅନେକ କଟକଣା ଲଗାଇଛନ୍ତି। ଏଥିରେ ନିର୍ମାଣ ଓ ବିଧ୍ୱଂସ ଗତିବିଦ୍ଧି ଉପରେ ରୋକ ମଧ୍ୟ ରହିଛି। ଶୁକ୍ରବାର ଲାଗୁ ହୋଇଥିବା କଟକଣାର ଉଦ୍ଦେଶ୍ୟ ପ୍ରଦୂଷଣକୁ ନିୟନ୍ତ୍ରିତ କରିବା। ଏହି ନିଷ୍ପତ୍ତି ବାୟୁ ଗୁଣମାନ ପ୍ରବନ୍ଧନ ଆୟୋଗ (ସିଏକ୍ୟୁଏମ) ନେଇଛନ୍ତି।
ଜିଆରଏପି ତୃତୀୟ ପର୍ଯ୍ୟାୟ ଅନୁସାରେ ଏନସିଆରକୁ ଆସୁଥିବା ସମସ୍ତ ଅନ୍ତରାଜ୍ୟ ବସ୍ (ଇଲେକ୍ଟ୍ରିକ ବାହନ, ସିଏନଜି ବାହନ, ବିଏସ-୬ ଡିଜେଲ ବସ୍କୁ ଛାଡି)ର ଦିଲ୍ଲୀ ପ୍ରବେଶ ପ୍ରତିବନ୍ଧିତ କରାଯିବ। ଏହା ଛଡା ନିର୍ମାଣ ଓ ବିଧ୍ୱଂସ ଗତିବିଦ୍ଧି ଉପରେ କଡ଼ା ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଖନନ ସମ୍ପର୍କିତ ଗତିବିଦ୍ଧି ନିଲମ୍ବନ କରାଯାଇଛି। ସେହିପରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କ ଅନଲାଇନ କ୍ଲାସ ସମ୍ପର୍କରେ ବିଚାର କରିବା ଓ ମୁଖ୍ୟ ସଡ଼କମାନଙ୍କରେ ନିୟମିତ ଜଳ ସିଞ୍ଚନ ଆଦି କାର୍ଯ୍ୟାନୁଷ୍ଠାନ କରାଯିବ।
ଜିଆରଏପି -୩ ଅନୁସାରେ ଦିଲ୍ଲୀ ଓ ଗୁରୁଗ୍ରାମ, ଫରିଦାବାଦ, ଗାଜିୟାବାଦ ଓ ଗୌତମ ବୁଦ୍ଧ ନଗର ଜିଲ୍ଲାମାନଙ୍କରେ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ବାହନଙ୍କ ଚଳାଚଳ ଉପରେ କଟକଣା ଜାରି କରାଯିବ। ସିକ୍ୟୁଏଏମ ଜିଆରଏପି-୩ ଉପାୟ ଲାଗୁ ଏଥି ପାଇଁ କରିଛନ୍ତି ଜାତୀୟ ରାଜଧାନୀରେ ଲଗାତାର ଦୁଇ ଦିନ ବାୟୁ ଗୁଣମାନ ଗୁରୁତର ଶ୍ରେଣୀରେ ରହିଛି। ଶୁକ୍ରବାର ସହରର ବାୟୁଗୁଣମାନ ୪୧୧ ଏକ୍ୟୁଆଇ ସହିତ ଗମ୍ଭୀର ଶ୍ରେଣୀରେ ରହିଛି।