ୱକଫ ଆଇନ ଉପରେ ଆଜିର ଶୁଣାଣି ଶେଷ, ଗୁରୁବାର ୨ଟାରୁ ପୁଣି ଆରମ୍ଭ ହେବ ତର୍କ

Published By : Prameya-News7 Bureau | April 16, 2025 IST

ନୂଆଦିଲ୍ଲୀ ୧୬।୪: ସୁପ୍ରିମକୋର୍ଟ  ୱକଫ ଆଇନକୁ ନେଇ ରୁଜୁ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି। ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ୩ ସଦସୀୟ ପୀଠରେ ବରିଷ୍ଠ ଅଧିବକ୍ତା କପିଲ ଶିବଲ, ଅଭିଷେକ ସିଂଘଭୀ, ରାଜୀବ ଧାୱନ, ନିଜାମ ପାସା,ରାକେଶ ଦ୍ୱିବେଦୀ ଓ ସି.ୟୁ. ସିଂହଙ୍କ ଭଳି ଓକିଲମାନେ ହାଜର ହୋଇ ଆଇନ ବିରୋଧରେ ନିଜର ତର୍କ ରଖିଛନ୍ତି। 

ବୁଧବାର ଶୁଣାଣି ଆରମ୍ଭରେ ସୁପ୍ରିମକୋର୍ଟ ପଚାରିଥିଲେ ସର୍ବପ୍ରଥମେ କିଏ ତର୍କ ରଖିବେ? ପ୍ରଥମେ ଦୁଇଟି ପ୍ରସଙ୍ଗରେ ତର୍କ ଶୁଣାଣି ହେବ। ଏଥିରୁ ଏହି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବ କି ହାଇକୋର୍ଟକୁ ପଠାଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ତେବେ ସୁପ୍ରିମକୋର୍ଟରେ ବୁଧବାରର ଶୁଣାଣି ଶେଷ ହୋଇଛି। ଏବେ ଗୁରୁବାର ଅପରାହ୍ନ ୨ଟା ମାମଲାରେ ତର୍କ ଆରମ୍ଭ ହେବ। ଏଥିରେ କପିଲ ଶିବଲ ସୁପ୍ରିମକୋର୍ଟରେ ନିଜର ତର୍କ ରଖି କହିଛନ୍ତି ଯେ ଏହି ଆଇନ ଧାର୍ମିକ ସ୍ୱାଧୀନତା (ଅନୁଚ୍ଛେଦ ୨୫) ଓ ଧାର୍ମିକ ବ୍ୟାପାର ପ୍ରବନ୍ଧନ ସ୍ୱାଧୀନତା (ଅନୁଚ୍ଛେଦ୨୬)ର ପରିପନ୍ଥୀ। 

ଶିବଲ କହିଛନ୍ତି ଯେ ଯଦି କେହି ନିଜ ସମ୍ପତ୍ତି ୱକଫକୁ ଦେବାକୁ ଚାହାଁନ୍ତି ତେବେ ତାଙ୍କୁ କାହିଁକି ପ୍ରମାଣିତ କରିବାକୁ ପଡିବ ଯେ ସେ ୫ ବର୍ଷରୁ ମୁସଲମାନ ବୋଲି। ଯଦି ସେ ଜନ୍ମରୁ ମୁସଲମାନ ତେବେ ତାଙ୍କୁ ଏହା କାହିଁକି ପ୍ରମାଣିତ କରିବାକୁ ପଡିବ?ସେ କହିଛନ୍ତି ଯେ ନୂଆ ଆଇନର ଧାରା ୩(ଏ)(୨) ଅନୁସାରେ ୱକଫ-ଅଲ-ଔଲାଦ ଗଠନରେ ମହିଳାଙ୍କୁ ସମ୍ପତ୍ତିରୁ ବଞ୍ଚିତ କରାଯାଇ ପାରିବନି। ଏ ସମ୍ପର୍କରେ କହିଥିବା ରାଜ୍ୟ କିଏ? 

ଏଥିରେ ସିଜେଆଇ ସଞ୍ଜୀବ ଖନ୍ନା ଟିପ୍ପଣୀ କରି ସଂସଦ ହିନ୍ଦୁଙ୍କ ପାଇଁ ମଧ୍ୟ ଆଇନ କରିଛି ଓ ମୁସଲମାନଙ୍କ ପାଇଁ ମଧ୍ୟ ଆଇନ କରିଛି । ଅନୁଚ୍ଛେଦ ୨୬ ଧର୍ମ ନିରପେକ୍ଷ ଯାହା ସବୁ ସମୂଦାୟଙ୍କ ନିମନ୍ତେ ଲାଗୁ ହେଉଛି ବୋଲି କହିଛନ୍ତି । ଏଥିରେ କପିଲ ଶିବଲ କହିଛନ୍ତି ଯେ ଇସ୍ଲାମରେ ମୃତ୍ୟୁ ପରେ ଉତ୍ତରାଧିକାର ମିଳିଥାଏ, ହେଲେ ଏହି ଆଇନି ଏହା ପୂର୍ବରୁ ଏଥିରେ ହସ୍ତକ୍ଷେପ କରୁଛି। ସେଣ୍ଟ୍ରାଲ ୱକଫ କାଉନସିଲରେ ଅନ୍ୟ ଧର୍ମର ସଦସ୍ୟ ବ୍ୟବସ୍ଥା ବିରୋଧରେ ଶିବଲ ତର୍କ ରଖିଛନ୍ତି ଯେ ଏହା ସମ୍ବିଧାନର ଅନୁଚ୍ଛେଦ ୨୬ରେ ଦିଆଯାଇଥିବା ଧାର୍ମିକ ବ୍ୟାପାର ପ୍ରବନ୍ଧନର ସ୍ୱାଧୀନତା ଅଧିକାରର ବିରୋଧୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.