ଦଶନ୍ଧିର ଆରବପତିଙ୍କ ଯାତ୍ରା: ବର୍ତ୍ତମାନ ବିଶ୍ୱରେ ତୃତୀୟ ଭାରତ, ପଛରେ ଅଛନ୍ତି ବ୍ରିଟେନ୍, ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡ

Published By : Prameya-News7 Bureau | March 28, 2025 IST

indiatoday

ନୂଆଦିଲ୍ଲୀ: ଦଶ ବର୍ଷ ପୂର୍ବେ, ଭାରତର ଆରବପତିଙ୍କ କ୍ଲବ୍ ଏକ ସମ୍ଭ୍ରାନ୍ତ ଗୋଷ୍ଠୀ ଥିଲା। ୨୦୧୪ ରେ କେବଳ ୭୦ ଜଣଙ୍କ ନାମ ଏହି ତାଲିକାରେ ସ୍ଥାନ ପାଇଥିଲା। ହେଲେ ଆଜି ଏହା ଏକ ସମୃଦ୍ଧ ସାମ୍ରାଜ୍ୟରେ ପରିଣତ ହୋଇଛି। ପରିସ୍ଥିତି ବଦଳି ଯାଇଛି। ଆରବପତିଙ୍କ ସମ୍ପତ୍ତିକୁ ଟ୍ରାକ୍ କରୁଥିବା ହୁରୁନ୍ ଗବେଷଣା ସଂସ୍ଥା ଅନୁଯାୟୀ,ବର୍ତ୍ତମାନ ଭାରତରେ ୨୮୪ ଜଣ ଆରବପତି ଅଛନ୍ତି। ଗତ ୧୦ ବର୍ଷରେ ଭାରତରେ ଆରବପତିଙ୍କ ସଂଖ୍ୟାରେ ୪ଗୁଣ ବୃଦ୍ଧି ପାଇଛି। ଫଳରେ ଭାରତକୁ ସର୍ବାଧିକ ଆରବପତି ରହୁଥିବା ଦେଶ ତାଲିକାରେ ବିଶ୍ୱରେ ତୃତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି। ଭାରତ ଉପରେ ବର୍ତ୍ତମାନ କେବଳ ଆମେରିକା (୮୭୦ ଆରବପତି) ଏବଂ ଚୀନ୍ (୮୨୩ ଆରବପତି) ଅଛନ୍ତି। 

ତେବେ ଭାରତରେ ଆରବପତିଙ୍କ ତାଲିକାରୁ ଚଳିତ ବର୍ଷ ୨୭ ଜଣଙ୍କ ନାଁ ବାଦ୍ ପଡ଼ିଥିବା ବେଳେ ୧୩ ଜଣ ନୂଆ ବିଲେନିୟର ଯୋଡ଼ି ହୋଇଛନ୍ତି। ବିଶ୍ୱର କିଛି ବଡ଼ ଅର୍ଥନୀତି, ଯେପରିକି ୟୁକେ (୧୫୦), ଜର୍ମାନୀ (୧୪୧) ଏବଂ ସ୍ୱିଜରଲ୍ୟାଣ୍ଡ (୧୧୬) ଅପେକ୍ଷା ଭାରତରେ ଅଧିକ ଆରବପତି ରହିଛନ୍ତି।
ଭାରତରେ ଆରବପତିଙ୍କ ଅଭିବୃଦ୍ଧି
ସଦ୍ୟତମ ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍ ୨୦୨୫ରେ ଭାରତ ବିଶ୍ୱର ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଥିବା ଜଣାପଡ଼ିଛି। ଭାରତୀୟ ଆରବପତିଙ୍କ ସମ୍ପତ୍ତି ଏକାଧିକ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା ଦେଶ ଅଭିବୃଦ୍ଧି କାହାଣୀରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି।
ଏନେଇ ହୁରୁନ୍ ଇଣ୍ଡିଆର ପ୍ରତିଷ୍ଠାତା ଏବଂ ମୁଖ୍ୟ ଗବେଷକ ଅନସ୍ ରହମାନ୍ ଜୁନୈଦ୍ କହିଛନ୍ତି "ଏହି ବର୍ଷ ଭାରତର ପ୍ରାୟ ୬୨% ଆରବପତିଙ୍କ ସମ୍ପତ୍ତି ବୃଦ୍ଧି ପାଇଛି, ଯାହା ଦେଶର ପ୍ରଭାବଶାଳୀ ଆର୍ଥିକ ଗତିକୁ ପ୍ରତିଫଳିତ କରୁଛି। ସେନସେକ୍ସ ୭% ଉପରକୁ ଉଠିଥିଲେ ମଧ୍ୟ, ପ୍ରକୃତ କଥା ହେଉଛି କୋଟିପତିଙ୍କ ସମ୍ପତ୍ତିରେ ୧୦% ବୃଦ୍ଧି ହୋଇଛି, ଯାହା ପ୍ରମାଣ କରୁଛି ଯେ ସମୃଦ୍ଧି କେବଳ ଷ୍ଟକ୍ ଚାର୍ଟରେ ନୁହେଁ - ଏହା ପ୍ରକୃତ ଟଙ୍କାରେ ଦେଖାଯାଏ।" 
ଭାରତୀୟ ଆରବପତିଙ୍କ ବୃଦ୍ଧିର ତଥ୍ୟ ଦେଖିଲେ ୨୦୧୪ରେ ଦେଶରେ ମାତ୍ର ୭୦ ଜଣ ଆରବପତି ଥିବା ବେଳେ, ବର୍ଷକୁ ବର୍ଷ ଏଥିରେ କମ୍‌ ବେଶି ଦେଖିବାକୁ ମିଳିଛି। ତେବେ ସଂଖ୍ୟା କମିବା ବଦଳରେ ଅଧିକ ବଢୁଛି। ଯେମିତିକି ୨୦୧୫ରେ ଦେଶର ଆରବପତିଙ୍କ ସଂଖ୍ୟା ୯୭କୁ ବୃଦ୍ଧି ପାଇଥିଲା। ସେହିପରି ୨୦୧୬ରେ ଏହି ସଂଖ୍ୟା ୧୧୧ ଛୁଇଁବା ପରେ ୨୦୧୭ରେ ଏହା ୧୦୦କୁ ଖସି ଆସିଥିଲା। ପୁଣି ୨୦୧୮ରେ ଆରବପତିଙ୍କ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଥିଲା। 

୨୦୧୯ରେ ପୁଣିଥରେ ଏହି ସଂଖ୍ୟାରେ ହ୍ରାସ ପାଇ ଦେଶର ଆରବପତିଙ୍କ ସଂଖ୍ୟା ୧୦୪କୁ ଖସି ଆସିଥିଲା। ୨୦୨୦ରେ ଆରବପତିଙ୍କ ସଂଖ୍ୟା ୧୬୯ ଏବଂ ୨୦୨୧ରେ ୧୭୭ରେ ପହଞ୍ଚିଲା। ୨୦୨୨ ସୁଦ୍ଧା ଭାରତରେ ୨୪୯ ଆରବପତି ଥିଲେ। କିନ୍ତୁ ବିଶ୍ୱ ମାନ୍ଦାବସ୍ଥା ଯୋଗୁ ୨୦୨୩ରେ ଏହି ସଂଖ୍ୟା ୧୮୭କୁ ହ୍ରାସ ପାଇଥିଲା। ଏହାପରେ ପୁଣି ଦ୍ରୁତ ଗତିର ଆଗକୁ ମାଡ଼ି ୨୦୨୪ରେ ଏହି ସଂଖ୍ୟା ୨୭୧ ହୋଇଥିବା ବେଳେ ଏବେ ୨୦୨୫ରେ ଭାରତରେ ଆରବପତିଙ୍କ ସଂଖ୍ୟା ୨୮୪ ହୋଇଛି।

ଭାରତର ସମସ୍ତ ଆରବପତିଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ୯୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବପରି ମୁମ୍ବାଇ ଦେଶର ଆର୍ଥିକ କେନ୍ଦ୍ରସ୍ଥଳ ହୋଇଛି। ଏଠାରେ ୯୦ ଜଣ କୋଟିପତିଙ୍କ ଘର ରହିଛି। ଯାହାଙ୍କ ମୋଟ ସମ୍ପତ୍ତି ୩୯ ଲକ୍ଷ କୋଟି ଟଙ୍କା। ଏହା ପଛକୁ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ଅହମଦାବାଦ ଏବଂ ପୁଣେ ରହିଛନ୍ତି।

ପଢନ୍ତୁ- ହାଇଦ୍ରାବାଦରେ ବଡ଼ କାରଖାନା ଖୋଲିବ ଚୀନ କମ୍ପାନୀ ବିୱାଇଡି: ଟେସ୍‌ଲା ଆସିବା ପୂର୍ବରୁ ମାର୍କେଟ୍ କବ୍ଜାର ପ୍ଲାନ୍

ସ୍ୱାସ୍ଥ୍ୟସେବା, ଖାଉଟି ସାମଗ୍ରୀ ଏବଂ ଶିଳ୍ପ ଉତ୍ପାଦ ଆମ ଦେଶରେ ଆରବପତିଙ୍କ ସଂଖ୍ୟାରେ ବୃଦ୍ଧି କରିବାରେ ସହାୟକ ହେଉଛି। ସେହିପରି ଦେଶରେ ଆଉ ଏକ ବଡ଼ ପରିବର୍ତ୍ତନ ହେଲା ଏହି ଆରବପତିଙ୍କ ମଧ୍ୟରୁ ୨୨ ଜଣ ମହିଳା ଅଛନ୍ତି। ଯାହା ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଉଛି। ଦିନକୁ ଦିନ ଭାରତରେ ମହିଳା ଆରବପତିଙ୍କ ସଂଖ୍ୟା ବଢ଼ିବା ଦେଶର ଅର୍ଥନୀତି ପାଇଁ ଶୁଭ ସଂକେତ। 

ସେପଟେ ପ୍ରଥମ ଥର ଜଣେ ମହିଳା ଭାବେ HCLର ରୋଶନି ନାଦର ଭାରତର ଧନୀ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଭାରତର ଶ୍ରେଷ୍ଠ ୧୦ ଜଣ ଧନୀ ଲୋକଙ୍କ ମଧ୍ୟରେ ସେ ଏକମାତ୍ର ମହିଳା ଭାବେ ସ୍ଥାନ ପାଇଛନ୍ତି। ନିକଟରେ HCL ପ୍ରତିଷ୍ଠାତା ଶିବ ନାଦର କମ୍ପାନୀର ୪୭% ଶେୟାର ତାଙ୍କ ଝିଅ ରୋଶନିଙ୍କୁ ହସ୍ତାନ୍ତର କରିବା ପରେ ରୋଶନୀ ପ୍ରଥମ ଥର ପାଇଁ ଧନୀ ବ୍ୟକ୍ତିଙ୍କ ଶ୍ରେଷ୍ଠ ଦଶ ତାଲିକାରେ ସାମିଲ ହୋଇଛନ୍ତି।

ଭାରତର ଆରବପତିଙ୍କ ପ୍ରତିନିଧି
ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୧ ଲକ୍ଷ କୋଟି ଟଙ୍କାର ହ୍ରାସ ସତ୍ତ୍ୱେ, ତାଙ୍କ ସମ୍ପତ୍ତି ୮.୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେ ଭାରତର ନମ୍ବର ୱାନ ଧନୀ ହୋଇଛନ୍ତି। ତେବେ ୨୦୨୫ ପାଇଁ ଦେଶର ସବୁଠାରୁ ଅଧିକ ସମ୍ପତ୍ତି ଅର୍ଜନକାରୀ ଆରବପତି ହୋଇଛନ୍ତି ଗୌତମ ଆଦାନୀ।  ଯାହାଙ୍କ ସମ୍ପତ୍ତି ମୂଲ୍ୟ ୧୩% ବୃଦ୍ଧି ପାଇଛି ଏବଂ ସେ ବିଶ୍ୱ ସ୍ତରରେ ୧୮ତମ ସ୍ଥାନରେ ଅଛନ୍ତି। ଭାରତରେ ତାଙ୍କ ସ୍ଥାନରେ ଦ୍ୱିତୀୟରେ ରହିଛି। 

ରୋଶନି ନାଦରଙ୍କ ମାନ୍ୟତାରେ ଏକ ବଡ଼ ପରିବର୍ତ୍ତନ ଆସିଛି। ତାଙ୍କ ବାପା ଶିବ ନାଦରଙ୍କଠାରୁ ୪୭% ଅଂଶଧନ ଉତ୍ତରାଧିକାରୀ ଭାବରେ ପାଇବା ପରେ, ତାଙ୍କର ସମ୍ପତ୍ତି ବର୍ତ୍ତମାନ ୩.୫ ଲକ୍ଷ କୋଟି ଟଙ୍କା ହୋଇଛି। ସେ ଭାରତର ଶ୍ରେଷ୍ଠ ୧୦ ଆରବପତିଙ୍କ ତାଲିକାରେ ଥିବା ଏକମାତ୍ର ମହିଳା ହୋଇପାରିଛନ୍ତି। ସେହିପରି ଦିଲୀପ ସାଂଘଭିଙ୍କ ସମ୍ପତ୍ତି ୨୧% ବୃଦ୍ଧି ପାଇ ୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ସେ ଦେଶର ଶ୍ରେଷ୍ଠ ୫  ଆରବପତିଙ୍କ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପଢନ୍ତୁ- ଚା’ ରପ୍ତାନୀରେ ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହେଲା ଭାରତ: ପଛରେ ପଡ଼ିଲା ଶ୍ରୀଲଙ୍କା

ଭାରତର ଆରବପତି କ୍ଲବ୍ କେବଳ ବୃଦ୍ଧି ପାଉନାହିଁ  ଏହା ସମୃଦ୍ଧ ହେଉଛି। ଦଶନ୍ଧି ମଧ୍ୟରେ ଏଭଳି ବୈପ୍ଳବିକ ପରିବର୍ତ୍ତନ ଦେଶର ବିରଳ ସଫଳତାକୁ ଦର୍ଶାଉଛି। ବର୍ତ୍ତମାନ ଭାରତରେ ଆରବପତିଙ୍କ ସଂଖ୍ୟା ପୂର୍ବ ଅପେକ୍ଷା ଦ୍ରୁତ ଗତିରେ ବଢ଼ୁଛି। ବଜାର ପରିବର୍ତ୍ତନ ଏବଂ ଆର୍ଥିକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବି ଏହି ଧାରା ଜାରି ରହିଛି। ବିଶ୍ୱ ଆରବପତିଙ୍କ ମୋଟ ସମ୍ପତ୍ତିରେ  ୭% ଭାରତର। ତେବେ କେତେଶୀଘ୍ର ଭାରତ ୩୦୦ ଆରବପତି ମାଇଲଖୁଣ୍ଟ ଅତିକ୍ରମ କରିବ ତାକୁ ହିଁ ଅପେକ୍ଷା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.