ନୂଆଦିଲ୍ଲୀ: ବୈଶ୍ୱିକ ବଜାରରେ ଅସ୍ଥିରତା ଭିତରେ ଆଇଏମଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକାର ଟାରିଫ୍ ଘୋଷଣା ଦ୍ୱାରା ବୈଶ୍ୱିକ ଅର୍ଥବ୍ୟବସ୍ଥା ଦୁର୍ବଳ ହେବ ଓ ଚଳିତ ବର୍ଷ ଦରବୃଦ୍ଧି ଦେଖିବାକୁ ମିଳିବ । ଏହାସତ୍ତ୍ୱେ ବିଶ୍ୱରେ ମାନ୍ଦାବସ୍ଥାର କୌଣସି ଭୟ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ବଢୁଥିବା ବାଣିଜ୍ୟିକ ତିକ୍ତତା ଓ ବୈଶ୍ୱିକ ବାଣିଜ୍ୟିକ ପ୍ରଣାଳୀରେ ହେଉଥିବା ବଡ଼ ପରିବର୍ତ୍ତନ ଯୋଗୁଁ ଆଇଏମଏଫ୍ ନିଜ ଆର୍ଥିକ ବିକାଶ ହାର ପୂର୍ବାନୁମାନରେ ହ୍ରାସ କରିବ । କିନ୍ତୁ ବିଶ୍ୱରେ ମାନ୍ଦାବସ୍ଥାର କୌଣସି ଆଶଂକା ନାହିଁ ।
ଆଇଏମଏଫ୍ ପକ୍ଷରୁ ଆଗାମୀ ସପ୍ତାହରେ ଜାରି ହେବାକୁ ଥିବା ଅନୁମାନ ଆଧାରରେ ସେ ଏହି କଥା କହିଛନ୍ତି । ଜର୍ଜିଭା କହିଛନ୍ତି ଯେ ଆମେରିକା ପକ୍ଷରୁ ଲାଗୁ କରାଯାଇଥିବା ନୂଆ ଟାରିଫ୍ ଓ ଚୀନ ତଥା ୟୁରୋପୀୟ ସଂଘର ପକ୍ଷରୁ ପଲଟା ଜବାବ ବୈଶ୍ୱିକ ବାଣିଜ୍ୟିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି । ଏଥିରେ ବାଣିଜ୍ୟ ନୀତିରେ ଅତ୍ୟଧିକ ଅନିଶ୍ଚିତତା ଓ ଆର୍ଥିକ ବାଜରରେ ଅତ୍ୟଧିକ ଅସ୍ଥିରତା ସୃଷ୍ଟି ହୋଇଛି ।
ସେ କହିଛନ୍ତି ଯେ ଆମଦାନୀ ଶୁଳ୍କ ବୈଶ୍ୱିକ ବୃଦ୍ଧିକୁ ମନ୍ଥର କରିବ ଓ ମୁଦ୍ରାସ୍ଫୀତି ବଢିବ କିନ୍ତୁ ଏହା ମାନ୍ଦାବସ୍ଥାର କାରଣ ହେବ ନାହିଁ । ଟାରିଫ୍ ବୃଦ୍ଧି ଅନିଶ୍ଚିତତାର କାରଣ ହେବ, ଯାହା ମହଙ୍ଗା ପଡ଼ିପାରେ । ଯୋଗାଣ ଶୃଙ୍ଖଳା ଜଟିଳତାରୁ ଅନେକ ଦେଶରେ ଭିନ୍ନ ଭିନ୍ନ ବସ୍ତୁର ମୂଲ୍ୟ ପ୍ରଭାବିତ ହୋଇପାରେ । ବାଣିଜ୍ୟିକ ସଂକଟର ପ୍ରଭାବ ତତ୍କାଳ ପଡ଼ିଥାଏ । ଏହାସହ ଆଇଏମ୍ଏଫ୍ ମୁଖ୍ୟ ଆମେରିକା ପ୍ରଶାସନର କିଛି ଚିନ୍ତାଙ୍କୁ ମଧ୍ୟ ଦୋହରାଇଛନ୍ତି । ସେ ସବୁ ଦେଶଙ୍କୁ ଶୁଳ୍କ କମ କରିବା ଓ ବ୍ୟବସାୟରେ ଅନ୍ୟ ଅସୁବିଧାକୁ କମ କରିବା ପାଇଁ ଆହ୍ୱାନ କରିଛନ୍ତି ।
ଆଇଏମ୍ଏଫ୍ ୨୦୨୫ ଜାନୁଆରୀରେ ୨୦୨୬ ବର୍ଷ ପାଇଁ ବୈଶ୍ୱିକ ବିକାଶ ହାର ୩.୩ ପ୍ରତିଶତ ରହିବା ଅନୁମାନ କରିଥିଲା । ଏବେ ଏହି ବୈଶ୍ୱିକ ସଂସ୍ଥା ମଙ୍ଗଳବାର ନିଜ ନୂଆ ୱାଲର୍ଡ ଇକୋନୋମିକ୍ ଆଉଟଲୁକ୍ ଜାରି କରିବ । ତେବେ ନୂଆ ଅନୁମାନରେ କେତେ ପ୍ରତିଶତ ହ୍ରାସ ହେବ ଜର୍ଜିଭା ତାହା କହିନାହାନ୍ତି । ତେବେ ଏହି ହ୍ରାସ ‘ଗୁରୁତ୍ୱପୂର୍ଣ୍ଣ’ ହୋଇପାରେ ।