ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ବାପା ଓ ୮ ବର୍ଷ ଝିଅର ମୃତ୍ୟୁ, ୭ ଗୁରୁତର

Published By : Prameya-News7 Bureau | May 28, 2025 IST

ବୌଦ୍ଧ ୨୮।୫: ଏମିତି ବି ଆସେ ମୃତ୍ୟୁ । ଡକା ଡକି ହୋଇ ଚାଲିଗଲେ ବାପ-ଝିଅ । ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ଗୋନ୍ଦିସର ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ମୃତଦେହ ଜବତ କରିଛି ଆଦର୍ଶ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା ଟିକରପଡା ପଞ୍ଚାୟତ ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲ୍ଲିକ ମଙ୍ଗଳବାର ରାତିରେ ଡିଲେଜୁ ଗ୍ରାମର ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗଦେଇ ଏକ ବାଇକ୍ ଯୋଗେ ପରିବାର ସହ ନିଜ ଘରକୁ ଫେରୁଥିଲେ । ଫେରିବା ସମୟରେ ଗୌନ୍ଦିସର ଗ୍ରାମ ନିକଟରେ ବୀପରିତ ଦିଗରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ତାଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଗଜେନ୍ଦ୍ର ମଲ୍ଲିକ, ତାଙ୍କ ପତ୍ନୀ ଓ ୩ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିଲେ । ସେହିପରି ଅନ୍ୟ ବାଇକ୍ ଆରୋହୀ ଗୋଚ୍ଛାପଡା ଗ୍ରାମର ସଂଜୀବ ବାଘ, ଯଶୋବନ୍ତ ବାଘ, ଗୋବିନ୍ଦ ଝାଙ୍କର ଓ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ତେବେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 

ତେବେ ମେଡିକାଲରେ ଡାକ୍ତର ଗଜେନ୍ଦ୍ର ମଲ୍ଲିକ ଓ ତାଙ୍କ ୮ ବର୍ଷର ଝିଅ ଲିପସା ମଲ୍ଲିକଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ସମସ୍ତଙ୍କର ଗୁରୁତର ଅବସ୍ଥାରେ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି l ତେବେ ବୌଦ୍ଧ ଆଦର୍ଶ ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ୨ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

You Can Read:

ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ଗୋରୁ, ୨୨ ଜଣଙ୍କୁ ବାନ୍ଧିଲା ପୋଲିସ

  • boudha
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.