କଟକ ୨୨।୦୪ : କଟକ ଗତିରାଉତପାଟଣା ନିକଟରେ ଭୟଙ୍କର ଦୁର୍ଘଟଣା । ପିସିଆର୍ ଭ୍ୟାନ୍କୁ ଧକ୍କା ଦେଲା ହାଇଓ୍ୱା । ଯେଉଁଥିରେ ଦୁଇ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, କଟକ ସିଆରଆର୍ଆଇ ଥାନା ପଛ ମହାନଦୀ ବନ୍ଧ ରାସ୍ତାରେ ପିସିଆର୍ ଭ୍ୟାନ୍ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ହାଇଓ୍ୱା ଭାରସାମ୍ୟ ହରାଇ ପିସିଆର୍ ଭ୍ୟାନ୍କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଗାଡ଼ିଟି ରାସ୍ତା କଡ଼କୁ ଓଲପଟିଥିଲା । ତେବେ ରାସ୍ତାକଡ଼କୁ ଓଲଟିପଡିବା ଦ୍ୱାରା ଗାଡ଼ିଟି ଭାଙ୍ଗି ଚୁରାମାର୍ ହୋଇଯାଇଥିଲା । ଏହାସହିତ ଗାଡିରେ ଥିବା ଦୁଇ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ହୋମଗାର୍ଡ ଜଗବନ୍ଧୁ ମାହାଳୀ, ପୋଲିସ କନେଷ୍ଟବଳ ଲୋକନାଥ ଶବର ରହିଛନ୍ତି।
ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଗାଡ଼ି ରଖି ଚମ୍ପଟ ମାରିଥିଲା ହାଇଓ୍ୱା ଡ୍ରାଇଭର । ଶେଷରେ ପିଛା କରି ପୋଲିସ କଟକ ରେଳ ଷ୍ଟେସନ ନିକଟରୁ ଡ୍ରାଇଭରକୁ ଧରିଛି । ଏହାସହ ଗାଡ଼ି ଜବତ କରି ଛାନ୍ଭିନ୍ ଜାରି ରଖିଛି ପୋଲିସ ।