ନୂଆଦିଲ୍ଲୀ ୨୭।୦୧: ଅଭିନୟ ଦୁନିଆ । ଚାକଚକ୍ୟ, ଗ୍ଲାମର ଏବଂ ଲଗଜୁରୀରେ ଭରପୁର । ଏଥିରେ ଯେକେହି ବି ପାଦ ରଖେ, ସେଥିରୁ ବାହାରିବାକୁ କେବେ ବି ଇଚ୍ଛା କରେନି । ଖାସ୍ କରି ଲଗଜୁରୀ ଲାଇଫ୍ଷ୍ଟାଇଲ୍କୁ ଛାଡିବାକୁ ଚାହାନ୍ତିନି ଷ୍ଟାରମାନେ । କିନ୍ତୁ ଏପରି କିଛି ଷ୍ଟାର ରହିଛନ୍ତି ଯିଏକି ନିଜ ଇଚ୍ଛାରେ ଏହି ଚାକଚକ୍ୟ ଭରା ଜୀବନକୁ କହିଛନ୍ତି ଅଲ୍ବିଦା ।
ଆଉ ଆପଣାଇଛନ୍ତି ଆଧ୍ୟାତ୍ମିକତାର ରାସ୍ତା । ଏପରି ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ବର୍ଖା ମଦାନ । ସେ ନିଜ କ୍ୟାରିୟରର ପିକ୍ ଟାଇମ୍ରେ ଗ୍ଲାମର ଦୁନିଆକୁ କହିଥିଲେ ଅଲ୍ବିଦା । ଆଉ ବୌଦ୍ଧ ଭିକ୍ଷୁ ହେବାକୁ ନେଇଥିଲେ ନିର୍ଣ୍ଣୟ । ୨୦୧୨ରେ ସେ ଧର୍ମ ଏବଂ ଆଧ୍ୟତ୍ମିକତାର ରାସ୍ତା ଆପଣାଇଥିଲେ ।
ବର୍ଖା ମଦାନ୍ଙ୍କ ଜନ୍ମ ଏକ ପଞ୍ଜାବୀ ପରିବାରରେ ହୋଇଥିଲା । ସେ ମଡେଲିଙ୍ଗରୁ ଆରମ୍ଭ କରିଥିଲେ କ୍ୟାରିୟର । ୧୯୯୪ରେ ସେ ମିସ୍ ଇଣ୍ଡିଆ ବ୍ୟୁଟି ପ୍ରେଜେଣ୍ଟର ଅଂଶ ହୋଇଥିଲେ । ଏହି କମ୍ପିଟେସନ୍ରେ ତାଙ୍କ ସହିତ ସୁସ୍ମିତା ସେନ୍ ଏବଂ ଐଶ୍ବର୍ଯ୍ୟା ରୟ ଥିଲେ । ୩ଜଣଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ବର୍ଖା ମିସ୍ ଇଣ୍ଡିଆ ତ ହେଇ ପାରିନଥିଲେ, କିନ୍ତୁ ସେ ମିସ୍ ଟୁରିଜମ୍ ଇଣ୍ଡରନ୍ୟାସନାଲର ରନର ଅପ୍ ରହିଥିଲେ । ଆଉ ସୁସ୍ମିତା ସେନ୍ ମିସ୍ ୟୁନିଭର୍ସ ଏବଂ ଐଶ୍ବର୍ଯ୍ୟା ହୋଇଥିଲେ ମିସ୍ ଓ୍ବାର୍ଲ୍ଡ ।
ମଡେଲିଙ୍ଗର ସଫଳତା ପାଇବା ପରେ ବରଖା ଟେଲିଭିଜନ ଦୁନିଆରେ ପାଦ ଥାପିଥିଲେ । ସେ ୧୯୯୬ରେ ଖିଲାଡିୟୋ କି ଖିଲାଡି ଫିଲ୍ମ ଜରିଆରେ ବଲିଉଡରେ କରିଥିଲେ ଡେବ୍ୟୁ । ସେ ଫିଲ୍ମ ଦୁନିଆରେ ବେଶ୍ ନାଁ କରିଥିଲେ । ତାଙ୍କ ଫିଲ୍ମ କ୍ୟାରିୟର ବହୁତ ଭଲ ଚାଲୁଥିଲା ଏବଂ ଅନେକ ବଡ ଫିଲ୍ମର ଅଫର ମଧ୍ୟ ମିଳୁଥିଲା ।
ଏହାସହିତ ସେ ଟିଭିରେ ଅନେକ ଲୋକପ୍ରିୟ ଶୋ, ୧୮୫୭ କ୍ରାନ୍ତି, ସାତ ଫେରେ, ଘର ଘର କା ସପନା, ନ୍ୟାୟ ପରି ଶୋରେ ନଜର ଆସିଥିଲେ । ଅଭିନେତ୍ରୀ ୨୦୧୦ରେ ନିର୍ମାତା ହେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଆଉ ପ୍ରତିଭାଶାଳୀ ସ୍ବତନ୍ତ୍ର ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେ Golden Gate LLC ଆରମ୍ଭ କରିଥିଲେ । ସେ ଦୁଇଟି ଚଳଚ୍ଚିତ୍ର, ସୋଚ୍ ଲୋ ଏବଂ ସୁରଖାବର ପ୍ରଯୋଜନା ଦେବା ସହ ଅଭିନୟ ମଧ୍ୟ କରିଥିଲେ।
ତେବେ ଏହାର କିଛି ଦିନ ପରେ ବର୍ଖାଙ୍କ ବଦଳିଥିଲା ମନ । ସେ ଆଧ୍ୟାତ୍ମିକତା ଆଡକୁ ମୁହାଁଇଥିଲେ । ସେ ଅନେକ ଦିନ ଧର ଦଲାଇଲାମାଙ୍କୁ ଅନୁସରଣ କରୁଥିଲେ । ଆଉ ବୌଦ୍ଧ ଧର୍ମକୁ ଆପଣାଇଥିଲେ । ବର୍ଖା ଏବେ ଗାଲଟେନ୍ ସେମଟେନ୍ ନାଁରେ ପରିଚିତ । ସେ ବର୍ତ୍ତମାନ ପାହାଡ ମଠରେ ରହୁଛନ୍ତି । ଆଉ ଅନେକ ସମୟରେ ଇନଷ୍ଟ୍ରାଗ୍ରାମରେ ନିଜର ଆଧ୍ୟାତ୍ମିକ ଯାତ୍ରା ବିଷୟରେ ତଥ୍ୟ ସେୟାର କରନ୍ତି ।