ରାଜ୍ୟରେ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ୨୯ ହଜାର ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା

Published By : Prameya-News7 Bureau | April 11, 2025 IST

କଟକ ୧୧: ରାଜ୍ୟରେ 'ଆୟୁଷ୍ମାନ ଭାରତ' ଯୋଜନାର ଶୁଭାରମ୍ଭ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।

ସଶକ୍ତ ଭାରତ ଏବଂ ସୁସ୍ଥ ଭାରତ ବର୍ଷ ଗଠନ ପାଇଁ ନରେନ୍ଦ୍ର ମୋଦୀ ସରକାର ଯେଉଁ ଲକ୍ଷ୍ୟ ରଖିଛି, ସେହିକ୍ରମରେ ଯୋଡି ହୋଇଛି ଓଡ଼ିଶା । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ଲୋକାର୍ପଣ କରିବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଏହା କହିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିକୁ ଆହୁରି ମଜଭୁତ କରିବା ଲାଗି ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । ଏହା ଭିତରେ ୪ ହଜାର ଡାକ୍ତର ନିଯୁକ୍ତି ପଇସାରିଛନ୍ତି । ସ୍ୱାସ୍ଥ୍ୟ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡିକୁ ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟବାସୀ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ମଧ୍ୟ ଆୟୁଷ୍ମାନ ଯୋଜନାର ସୁଯୋଗ ନେଇ ପାରିବେ, ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଏଥିରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆୟୁଷ୍ମାନ ଯୋଜନା ଲାଗୁ କରିବାରେ ପୂର୍ବ ସରକାର ଆଗ୍ରହ ଦେଖାଇଲେ ନାହିଁ, ଯାହା ଦ୍ୱାରା ରାଜ୍ୟ ପାଇଁ ୩ ହଜାର କୋଟି ଟଙ୍କାର କ୍ଷତି ହୋଇଛି ବୋଲି ସଭାରେ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜିଠାରୁ ଯେଉଁ ୩ଟି ଯୋଜନା କାର୍ଯ୍ୟକ୍ଷମ ହେଲା ତାକୁ ଅଧିକରୁ ଅଧିକ ସରଳୀକରଣ କରାଯିବ, ଯାବା ଦ୍ୱାରା ରାଜ୍ୟର ପ୍ରତ୍ୟେକ ହିତାଧିକାରୀ ସହଜରେ ଏଥିରୁ ଲାଭ ପାଇପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା  ଯୋଗାଇ ଦେବାକୁ ରାଜ୍ୟ ସରକାର ୩ଟି  ଯୋଜନାର ଲୋକାର୍ପଣ କରିଛନ୍ତି । ୩ଟି ଯୋଜନାରେ ରାଜ୍ୟର ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଯୋଡ଼ି  ହେବେ । ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ଲୋକମାନଙ୍କୁ  ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ  କରାଯିବ । ରାଜ୍ୟରେ ଏମାନଙ୍କ ସଂଖ୍ୟା ୨୩  ଲକ୍ଷ ୧୩ ହଜାର । ପ୍ରାୟ ୧୭ ଲକ୍ଷ ଆୟୁଷ୍ମାନ ଏବଂ ଜିଜେଏୱାଇରେ ସାମିଲ ଥିବାରୁ ଆଉ ୬ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବେ । ପ୍ରତି ପରିବାର ପିଛା ୫ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ତେବେ  ପରିବାରର ମହିଳା ହିତାଧିକାରୀଙ୍କ ପାଇଁ  ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପ୍ରଦାନ କରାଯିବ । ଗୋଟିଏ ପରିବାରରେ ୭୦ବର୍ଷରୁ ଅଧିକ ବୟସର ହିତାଧିକାରୀ ଥିଲେ, ପରିବାର ପ୍ରତି ଚିକିତ୍ସା ଖର୍ଚ୍ଚ ସର୍ବାଧିକ ୧୫ ଲକ୍ଷ ଟଙ୍କା ମିଳିବ । 

ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ଼ ମିଳୁଥିଲା । ଏବେ ପ୍ରତ୍ୟେକ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଏହାଦ୍ୱାରା ରାଜ୍ୟ ବାହାରେ ରହୁଥିବା ହିତାଧିକାରୀମାନଙ୍କୁ ଆଉ ମାଗଣା ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଅସୁବିଧା ହେବନି । ବୟୋବନ୍ଦନା ହିତାଧିକାରୀମାନେ ଅଲଗା ସ୍ୱତନ୍ତ୍ର କାର୍ଡ ପାଇବେ । ପୂର୍ବରୁ ୯୦୦ଟି ତାଲିକାଭୁକ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ମିଳୁଥିଲା । ଏବେ  ଦେଶର ୨୯ ହଜାର ଅଗ୍ରଣୀ ଘରୋଇ ଏବଂ ସରକାରୀ  ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ସେବା ମିଳିବ । 

You Can Read:

କିଏ କେଉଁଠି ଚା’ କି କଥାବାର୍ତ୍ତା ପାଇଁ ଡାକିଲା ସେଠି ଶଙ୍ଖ ଭବନର ଆବଶ୍ୟକତା ନାହିଁ : ନୃସିଂହ ସାହୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.