ପନ୍ନୁର ହତ୍ୟା ଷଡ଼ଯନ୍ତ୍ରରେ ଭାରତ ସରକାରଙ୍କୁ ଆମେରିକୀୟ କୋର୍ଟଙ୍କ ସମନ, ବିଦେଶ ମନ୍ତ୍ରଣାଳୟ ଦେଲା ଜବାବ

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କୀ ଗୁରପତୱନ୍ତ ସିଂ ପନ୍ନୁର ହତ୍ୟା ଉଦ୍ୟମ ମାମଲାରେ ଆମେରିକୀୟ କୋର୍ଟ ଭାରତ ସରକାର ଏବଂ ଶୀର୍ଷ ଅଧିକାରୀଙ୍କୁ ସମନ ଜାରି କରିଛନ୍ତି । ଏହା ଉପରେ ଭାରତ ସରକାରଙ୍କ ପକ୍ଷରୁ କଡ଼ା ଆପତ୍ତି ଉଠାଯାଇଛି । ବିଦେଶ ସଚିବ ବିକ୍ରମ ମିଶ୍ରି ଏକ ବୟାନରେ କହିଛନ୍ତି ଯେ ଆମେ ପୂର୍ବରୁ କହିସାରିଛୁ ଯେ ଏହା ସମ୍ପୂର୍ଣ୍ଣ ଅନୁଚିତ ଏବଂ ନିରାଧାର ଅଭିଯୋଗ ଅଟେ । ଏବେ ଯେତେବେଳେ ଏହି ବିଶେଷ ମାମଲା ରୁଜୁ ହୋଇଛି, ଏହା ଉପରେ ଆମେ ମତ ବଦଳି ନାହିଁ । ମୁଁ କେବଳ ଆପଣଙ୍କ ଧ୍ୟାନ ଏହି ମାମଲା ପଛରେ ଥିବା ବ୍ୟକ୍ତି ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଛି, ଯାହାର ଇତିହାସ ସର୍ବବିଦିତ ଅଟେ ।

ବିଦେଶ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ମୁଁ ଏହି ସତକୁ ସାମନାରେ ରଖିବାକୁ ଚାହୁଁଛି ଯେ ଏହି ବ୍ୟକ୍ତି (ପନ୍ନୁ) ଯେଉଁ ସଂଗଠନକୁ ଲିଡ୍‌ କରୁଛି, ତାହା ଏକ ବେଆଇନ ସଂଗଠନ । ଏହି ସଂଗଠନ ଉପରେ ୟୁଏପିଏରେ ପ୍ରତିବନ୍ଧକ ଲଗାଯାଇଛି । ଏହା ଏଥିପାଇଁ କରାଯାଇଛି କାରଣ ଏହି ସଂଗଠନ ରାଷ୍ଟ୍ର-ବିରୋଧୀ ଏବଂ ବିଧ୍ୱଂସକ ଗତିବିଧିରେ ସଂଶ୍ଲିଷ୍ଟ ଅଛି ।

ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା କୋର୍ଟ ଭାରତ ସରକାର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ପୂର୍ବତନ ର’ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ସମନ ଜାରି କରିଛନ୍ତି । ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ନିଖିଲ ଗୁପ୍ତା ଏବଂ ବିକ୍ରମ ଯାଦବଙ୍କୁ ମଧ୍ୟ ସମନ ପଠାଯାଇଛି । ନିଖିଲ ଗୁପ୍ତାକୁ ଗତ ବର୍ଷ ନ୍ୟୁୟର୍କରେ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଅଭିଯୋଗରେ ଆମେରିକା ସରକାରଙ୍କ ଅନୁରୋଧରେ ଚେକ୍ ଗଣରାଜ୍ୟରେ ଗିରଫ କରାଯାଇଥିଲା । ଚଳିତ ବର୍ଷ ଜୁନରେ ଚେକ୍ ଗଣରାଜ୍ୟରୁ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା ।

୨୦୨୪ ଏପ୍ରିଲରେ ଦ ୱାଶିଂଟନ ପୋଷ୍ଟ ଭାରତର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗର ଜଣେ ଅଧିକାରୀ ବିକ୍ରମ ଯାଦବ ଷଡ଼ଯନ୍ତ୍ରରେ ସାମିଲ ଥିବା କହିଥିଲା । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା ଯେ ତତ୍କାଳୀନ ର’ ମୁଖ୍ୟ ସାମନ୍ତ ଗୋୟଲଙ୍କ ଅପରେସନକୁ ମଞ୍ଜୁରି ଦେଇଥିଲେ । ତେବେ ଭାରତ ସରକାର ରିପୋର୍ଟକୁ ଖଣ୍ଡନ କରିବା ସହ ଏହି ଦାବି ସମ୍ପୂର୍ଣ୍ଣ ଭୁଲ ବବଂ ନିରାଧାର ବୋଲି କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଗୁରପତୱନ୍ତ ସିଂ ପନ୍ନୁ ପାଖରେ ଆମେରିକା ଏବଂ କାନାଡାର ନାଗରିକତା ରହିଛି ଏବଂ ଆତଙ୍କବାଦ ଅଭିଯୋଗରେ ସେ ଭାରତରେ ମୋଷ୍ଟେ ୱାଣ୍ଟେଣ୍ଡ ଅଛି । ପନ୍ନୁ ଖାଲିସ୍ତାନୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ମୁଖିଆ ଭାବେ କାମ କରୁଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.