ପ୍ରୟାଗ ସଂଗମରେ ମହାକୁମ୍ଭ; ଶ୍ରଦ୍ଧାଳୁଙ୍କ ଲାଗି ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ଜଗିଛି ଏଆଇ କ୍ୟାମେରା

Published By : Prameya-News7 Bureau | January 13, 2025 IST

ପ୍ରୟାଗରାଜ: ତ୍ରିବେଣୀ ସଙ୍ଗମରେ ମହାକୁମ୍ଭ ସୋମବାରଠୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦିବ୍ୟ ଆସ୍ଥା ସ୍ଥଳିରେ ଶ୍ରଦ୍ଧାର ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଏହି ମେଳା ଆସନ୍ତା ଦେଢ଼ ମାସ ଅର୍ଥାତ୍ ଫେବ୍ରୁଆରୀ ୨୬ ତାରିଖ ଯାଏଁ ଚାଲିବ । ପ୍ରାୟ ୪୫ କୋଟି ଶ୍ରଦ୍ଧାଳୁ ସମାରୋହରେ ସାମିଲ୍ ହେବା ନେଇ ଆଶା କରାଯାଉଛି । ତେବେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ଦୃଷ୍ଟିରେ ରଖି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  

ରାଜ୍ୟ ପୋଲିସ  ବିଭାଗ ପକ୍ଷରୁ ୭ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ଆୟୋଜନ କରିଛି । ସହରକୁ ପ୍ରବେଶ କରୁଥିବା ସବୁ ବ୍ୟକ୍ତିଙ୍କ ଉପରେ ନଜର ରଖିବା ଲାଗି ଅନେକଗୁଡ଼ିଏ ଚେକ୍‌ ପଏଣ୍ଟ୍‌ ଖୋଲାଯାଇଛି । ବିଭିନ୍ନ ସ୍ଥାନରେ ପ୍ରାୟ ୨୭୦୦ ଏଆଇ ଦ୍ୱାରା ପରିଚାଳିତ କ୍ୟାମେରା ସେଟ୍ କରାଯାଇଛି । ସେହିପରି ଏନ୍‌ଡିଆରଏଫ୍‌ ଓ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ୍‌  ୟୁନିଟ୍‌ଗୁଡିକ ସହିତ ୧୦ ହଜାର ପୋଲିସକର୍ମୀ ସମାରୋହର ସୁରକ୍ଷାକୁ ସୁନିଶ୍ଚିତ  କରିବେ । ଏମାନଙ୍କ ସହିତ ଅର୍ଦ୍ଧସାମରିକ ବାହିନୀ, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍‌ ବି ଉପସ୍ଥିତ ଅଛନ୍ତି । ସମ୍ଭାବ୍ୟ  ଆତଙ୍କୀ ହମ୍‌ଲାର ମୁକାବିଲା ଲାଗି ଏନ୍‌ଏସ୍‌ଜି,  ୟୁପି ଏଟିଏସ୍‌ ମୁତୟନ ହୋଇଛନ୍ତି । ଏଆଇ ଦ୍ୱାରା  ପରିଚାଳିତ ଡ୍ରୋନ୍‌ ଦ୍ୱାରା  ସମୁଦାୟ ଅଞ୍ଚଳ ଉପରେ  ନଜର ରଖାଯାଉଛି । ଗଙ୍ଗା ଓ ଯମୁନା ନଦୀ ତଟରେ ବିଶେଷ କରି ସଙ୍ଗମ  ଅଞ୍ଚଳରେ କୋଟି କୋଟି ଶ୍ରଦ୍ଧାଳୁଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର  ୱାଟର ପୋଲିସ ବ୍ୟବସ୍ଥା କରିଛନ୍ତି । ପ୍ରଥମ ଥର ଲାଗି ଅଣ୍ଡରୱାଟର ଡ୍ରୋନ୍‌  ବି ମୁତୟନ ହୋଇଛି । ଏହି ଡ୍ରୋନ୍‌ଗୁଡିକ ୧୦୦ ମିଟର ଗଭୀରତାରେ କାର୍ଯ୍ୟ   କରିବା ସହିତ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରକୁ ତଥ୍ୟ ପଠାଇବେ ।  ପାଣି ତଳେ କୌଣସି ପ୍ରକାର ସନ୍ଦିଗ୍ଧ ଗତିବିଧି ଦେଖିଲେ ତୁରନ୍ତ ଜଣାଇବେ ଯାହାଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ଉଠାଇ ହେବ । ସେହିପରି ଅଗ୍ନିଶମ  ନିରାପତ୍ତା ବ୍ୟବସ୍ଥା ଲାଗି ୧୩୧.୪୮ କୋଟି ଖର୍ଚ୍ଚ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.