ମାଲକାନଗିରି ୧୩।୦୧ : ମାଲକାନଗିରି ସୀମାନ୍ତରେ ପୁଣି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା କୁଟରୁ ଥାନା ଜାଗୁର ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଯେଉଁଥିରେ ଦୁଇ ଜଣ ଡିଆର୍ଜି ଯବାନ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଛତିଶଗଡ଼ ବିଜାପୁର ଜିଲ୍ଲା କୁଟରୁ ଥାନା ଜାଗୁର ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ୍ କରି ଫେରୁଥିଲେ । ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ଯେଉଁଥିରେ ଡିଆର୍ଜି ବାହିନୀର ଦୁଇ ଯବାନ ଗୁରୁତର ହୋଇଛନ୍ତି । ଆହତ ଯବାନଙ୍କ ନାମ ରାମସୁ ମଜି ଓ ଗଜେନ୍ଦ୍ର ବୋଲି ଜଣାପଡିଛି ।ତେବେ ଏହି ବିସ୍ଫୋରଣରେ ଗୁରୁତରଙ୍କୁ ସାଥି ଯବାନମାନେ ତୁରନ୍ତ ଉଦ୍ଧାର କରି ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଯବାନମାନଙ୍କୁ ବାୟୁସେନାର ହେଲିକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।
ରବିବାର ଦିନ ବିଜାପୁର ଜିଲ୍ଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ପାଞ୍ଚ ଜଣ ମାଓବାଦୀ ପ୍ରାଣ ହରାଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ସୂଚନା ଦେଇଛନ୍ତି ବିଜାପୁର ଅତିରିକ୍ତ ଏସ୍ପି ଚନ୍ଦ୍ରକାନ୍ତ ଗର୍ବାନ । ଏପଟେ ମାଲକାନଗିରି ଏମ୍-୭୯ ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନରେ ଏକ ମାଓ ଡମ୍ପ ଠାବ ହୋଇଥିଲା । ଯେଉଁଥିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
ପୋଲିସକୁ ବଡ଼ ସଫଳତା, ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ