ମୁମ୍ବାଇ ୧୨।୩: ମହାରାଷ୍ଟ୍ରର ଏକ କୋର୍ଟ ବୁଧବାର ସ୍ୱାରଗେଟ୍ ବସ୍ ଦୁଷ୍କର୍ମ ଅଭିଯୁକ୍ତକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି। ପୋଲିସ କହିଛି ଯେ ଅଭିଯୁକ୍ତ ଦତ୍ତାତ୍ରୟ ଗାଡ଼େ ୨୫ ଫେବୃଆରୀ ସକାଳେ ସ୍ୱର୍ଗେଟ୍ ଟର୍ମିନସରେ ଛିଡା ହୋଇଥିବା ମହାରାଷ୍ଟ୍ର ପରିବହନ ନିଗମ (ଏମଏସଆରଟିସି) ବସ୍ ରେ କଥିତ ରୂପେ ଜଣେ ୨୬ ବର୍ଷ ବୟଷ୍କା ମହିଳାଙ୍କ ସହିତ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ନିଜକୁ ବସ୍ କଣ୍ଡକ୍ଟର ବୋଲି ପରିଚୟ ଦେଇ ଏହି କାଣ୍ଡ କରିଥିଲା।
ଏହି ଘଟଣା ନେଇ ପୋଲିସରେ ଅଭିଯୋଗ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଅଭିଯୁକ୍ତକୁ ପୋଲିସ ପୁଣେ ଜିଲ୍ଲା ଶିରୁର ତହସିଲର ଗୁନାଟ ଗାଁର ଏକ ଖେତରୁ ଗିରଫ କରିଥିଲା। ପୋଲିସ ଅନୁସାରେ ଅଭିଯୁକ୍ତ ଦତ୍ତାତ୍ରୟ ଗାଡେ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଡ୍ରୋନ ଓ ସନ୍ଧାନୀ କୁକୁରର ସହାୟତା ନେଇଥିଲା। ଗିରଫ ପରେ ପୋଲିସ ତାକୁ କୋର୍ଟରେ ହାଜର କରି ୧୨ ଦିନିଆ ରିମାଣ୍ଡରେ ନେଇଥିଲା।
ବୁଧବାର ରିମାଣ୍ଡ ପୁରା ହେବା ପରେ ପୋଲିସ ଅଭିଯୁକ୍ତକୁ କୋର୍ଟରେ ହାଜର କରିଥିବା ବେଳେ ଆଉ ଦୁଇ ଦିନ ପୋଲିସ କଷ୍ଟଡିର ଅଧିକାର ସୁରକ୍ଷିତ ରଖି ବିଚାରବିଭାଗୀୟ ହାଜତ ନିବେଦନ କରିଥିଲା। ସେହି ଅନୁସାରେ କୋର୍ଟ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହି ଘଟଣାର ପୋଲିସ ତଦନ୍ତ ସରିନଥିବା ବେଳେ ମାମଲାକୁ ପୋଲିସ ଗଭୀର ଭାବେ ଯାଞ୍ଚ କରୁଛି ଓ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି କହିଛି।