ଲିଳାବତୀ ହସ୍ପିଟାଲ ଆଣିଲା ୧୨ଶହ କୋଟି ଟଙ୍କାର ଠକେଇ ଅଭିଯୋଗ, EDରେ ମାମଲା ରୁଜୁ

Published By : Prameya-News7 Bureau | March 12, 2025 IST

ମୁମ୍ବାଇ ୧୨।୩: ଲିଳାବତୀ ହସ୍ପିଟାଲ ସଞ୍ଚାଳନ କରୁଥିବା ଚାରିଟେବଲ ଟ୍ରଷ୍ଟ ଏହାର ପୂର୍ବତନ ଟ୍ରଷ୍ଟିମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ନିକଟରେ ଏକ ଅଭିଯୋଗ ଦାଖଲ କରିଛି, ଯେଉଁଥିରେ ୧୨୦୦ କୋଟି ଟଙ୍କାରୁ ଅଧିକ ଆର୍ଥିକ ହେରଫେରର ଅଭିଯୋଗ ଆଣିଛି। ଲିଳାବତୀ କିର୍ତ୍ତିଲାଲ ମେହେଟ୍ଟା ମେଡିକାଲ ଟ୍ରଷ୍ଟ (ଏଲକେଏମଏମଟି) ସେମାନଙ୍କୁ ଠକେଇ ନିବେଶ, ଲାଞ୍ଚ ଏବଂ ବେଆଇନ ଅଫସର କାରବାର ମାଧ୍ୟମରେ ଟ୍ରଷ୍ଟର ପାଣ୍ଠି ହଡ଼ପ କରିଥିବାର ଅଭିଯୋଗ କରିଛି। 

ଏକ ଫୋରେନସିକ୍ ଅଡିଟ୍ ପରେ ଏହି ଜାଲିଆତି ସାମ୍ନାକୁ ଆସିଥିଲା, ରିପୋର୍ଟ ଅନୁଯାୟୀ ପୂର୍ବ ଟ୍ରଷ୍ଟିଙ୍କ ଦ୍ୱାରା ବଡ଼ ଧରଣର ଅନିୟମିତତା, ହେରଫେର ଓ ପାଣ୍ଠି ଅପହରଣର ପର୍ଦ୍ଦାଫାସ କରିଥିଲା। ଦୀର୍ଘ ଆଇନଗତ ଲଢେଇପରେ ବର୍ତ୍ତମାନର ଟ୍ରଷ୍ଟିମାନେ ଟ୍ରଷ୍ଟର ନିୟନ୍ତ୍ରଣ ଗ୍ରହଣ କରିଛନ୍ତି। ଟ୍ରଷ୍ଟର ଅଡିଟ ଚେତନ ଦଲାଲ ଇନଭେଷ୍ଟିଗେସନ ଆଣ୍ଡ ମ୍ୟାନେଜମେଣ୍ଟ ସର୍ଭିସେସ୍ (ସିଡିଆଇଏମଏସ) ଓ ଏଡିବି ଆସୋସିଏଟସ୍ ଦ୍ୱାରା କରାଯାଇଥିଲା। 

ଅଡିଟରୁ ମେଫେୟାର ରିୟଲ୍ଟର୍ସ ଏବଂ ଭେଷ୍ଟା ଇଣ୍ଡିଆ ଭଳି କମ୍ପାନୀମାନଙ୍କରେ ଟ୍ରଷ୍ଟର ୧୧.୫୨କୋଟି ଟଙ୍କାର ଅବୈଧ ନିବେଶ ହୋଇଥିବାର ଜଣାପଡିଛି, ଯାହା ଉପଯୁକ୍ତ ହିସାବ ବିନା କରାଯାଇଥିବା ଅଭିଯୋଗ ହୋଇଛି। ଜାଲିଆତି ଭାବେ ୪୪ କୋଟି ଟଙ୍କାର ଆଇନଗତ ଫି ପେମେଣ୍ଟ କରାଯାଇଛି, ବୈଧ ଖର୍ଚ୍ଚକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି। ଏହା ଛଡା ୧୨ଶହ କୋଟି ଟଙ୍କାରୁ ଅଧିକ କ୍ରୟ ସମ୍ପର୍କିତ ଆର୍ଥିକ ତ୍ରୁଟି, ଲାଞ୍ଚ ଓ ତୃତୀୟପକ୍ଷଙ୍କ ସହ ଅବୈଧ ନେଣଦେଣର ସୂଚନା ମଧ୍ୟ ମିଳିଛି। 

ଏହି ସବୁ ତଥ୍ୟକୁ ଆଧାର କରି ପୂର୍ବତନ ଟ୍ରଷ୍ଟିଙ୍କ ବିରୋଧରେ ବାନ୍ଦ୍ରା ପୋଲିସରେ ଏକାଧିକ ଏତଲା ରୁଜୁ କରାଯାଇଥିବା ବେଳେ ଏହାକୁ ଯାଞ୍ଚ ନିମନ୍ତେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ହସ୍ତାନ୍ତର କରାଯାଇଛି।  ଏତଲାରେ ନାମିତ ଅଭିଯୁକ୍ତଙ୍କ ମଧ୍ୟରେ ଚେତନ ପି. ମେହେଟ୍ଟା,. ରେଖା ଏଚ୍.ସେଠ, ଆୟୁଷ୍ମାନ ସି. ମେହେଟ୍ଟା, ନିକେତ ଭି. ମେହେଟ୍ଟା, ସୁଶୀଳା ଭି. ମେହେଟ୍ଟା, ରଶ୍ମୀ କେ. ମହେଟ୍ଟା, ଭାବିନ ଆର.ମେହେଟ୍ଟା ଓ ନିମେଶ ସେଠ୍ ଙ୍କ ନାମ ରହିଛି। 

କଥିତ ଆର୍ଥିକ ଅନିୟମିତତା ଲିଳାବତୀ ହସ୍ପିଟାଲକୁ ପ୍ରଭାବିତ କରିଥିବାର କୁହାଯାଇଛି। ଟ୍ରଷ୍ଟ ଦାବି କରିଛି ଯେ ଏହି ଆର୍ଥିକ ଦୂରୁପଯୋଗ ହସ୍ପିଟାଲର ରୋଗୀ ସେବାକୁ କ୍ଷତିରେ ପକାଇଛି। ଏଥିରେ ଚିକିତ୍ସା ସେବା ନିମନ୍ତେ ଉଦ୍ଧିଷ୍ଟ ପାଣ୍ଠିର ଅପବ୍ୟବହାର କରାଯାଇଥିବା ଅଭିଯୋଗ କରାଯାଇଛି। ଯାହାଦ୍ୱାରା ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଥିବା କୁହାଯାଇଛି। ଟ୍ରଷ୍ଟ ଅଭିଯୋଗ କରିଛି ଯେ ଆର୍ଥିକ ଠକେଇ ହସ୍ପିଟାଲର ଦାତବ୍ୟ ସମ୍ବଳକୁ ନଷ୍ଟ କରିଦେଇଛି। କାରଣ ସ୍ୱାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ଦାନ ଏବଂ ପାଣ୍ଠି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛି। 

ଏହା ଭାରତର ଦାତବ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନତାଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଛି। ଏଲକେଏମଏମଟିର ସ୍ଥାୟୀ ଟ୍ରଷ୍ଟି ପ୍ରଶାନ୍ତ ମେହେଟ୍ଟା କହିଛନ୍ତି ଯେ ଯେଉଁ ଆର୍ଥିକ ଅନିୟମିତତା ଉଜାଗର ହୋଇଛି, ଏହା ଜନତାଙ୍କ ବିଶ୍ୱାସ ସହିତ ଧୋକା ଓ ଆମ ହସ୍ପିଟାଲର ମିସନ ନିମନ୍ତେ ବିପଦଜନକ। ଏଣୁ ଆମେ ମାମଲାରେ ଅଧିକାରୀଙ୍କୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରୁଛୁ। ଯାହା ଦ୍ୱାରା ନ୍ୟାୟ ମିଳିବା ସହିତ ଆମ ସଂସ୍ଥା ବିନା ଆର୍ଥିକ ଅନିଶ୍ଚିତତାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଜାରି ରଖିବାରେ ସକ୍ଷମ ହୁଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.